ଅର୍ଜନା ନାଗ ସ୍କାଣ୍ଡାଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ଆସନ୍ତାକାଲିଠାରୁ ଅହରାତ୍ର ଧାରଣା ଦିଆଯିବ : ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର(ଏନ ଟି ପି):

ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଓ ଅର୍ଜନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ ♦ ଦୁର୍ନୀତି ପରେ ଅନାଚାର ଓ ବ୍ୟଭିଚାରକୁ ଆକଣ୍ଠପାନ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର , ତା.୨୧ / ୧୦ : ରାଜ୍ୟ ସରକାର ୨୩ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ରହିଆସିଛନ୍ତି କିନ୍ତୁ ଏବେ ଅନାଚାର ଓ ବ୍ୟଭିଚାରରେ ସୀମା ଟପିଲେଣି । ଇତିଶ୍ରୀ , ବେବିନାଙ୍କ ଠାରୁ ଆରମ୍ଭ କରି ନୟାଗଡର ପରୀ ଓ ଯାଜପୁରର ପିନ୍ଦୁ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ଅନାଚାର , ବ୍ୟଭିଚାରରେ ଶାସକ ଦଳର ସଂପୃକ୍ତି ଥିବା ସ୍ପଷ୍ଟ ଚିତ୍ର ଓଡିଶାବାସୀ ଦେଖୁସାରିଛନ୍ତି । ଶାସକ ଦଳର ମନ୍ତ୍ରୀ , ନେତାମାନଙ୍କର ଏହି ବ୍ୟଭିଚାର ବିରୋଧରେ ସ୍ୱର ଉତୋଳନ କରି ମମିତା ମେହେର ଭଳି ଅନେକ ଝିଅ ନିଜର ପ୍ରାଣ ହରାଇଛନ୍ତି ଯାହା ଓଡିଶାବାସୀ ଦେଖୁଛନ୍ତି । ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ଆକଣ୍ଠପାନ କରିଛନ୍ତି । ଚିଟ୍‌ଫଣ୍ଡ , ବ୍ଲକ ଓ ସେକ୍ରେଟାରୀଏଟର ତୃତୀୟ ମହଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ପ୍ରଶୟ ଦେଉଥିବା ଓଡିଶାବାସୀ ଜାଣିଛନ୍ତି , ଓଡ଼ିଶାରେ ବିନା କାଂଚ ଟଙ୍କାରେ ପତ୍ର ହଲେନାହିଁ ଯାହା ରାଜ୍ୟ ସରକାରଙ୍କ ପରିଚୟକୁ ସ୍ପଷ୍ଟ କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଓଡିଶା ପୋଲିସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ତାହାର ନିଦ୍ରା ଭାଙ୍ଗିବା ଦରକାର । ଓଡିଶାରେ ଯେତେ ବଡ ଦୁର୍ନୀତି କିମ୍ବା ବ୍ୟଭିଚାରର କଥା ଆସେ ସବୁବେଳେ ଅପାରଗ ଓ ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀ କହନ୍ତି ଯେ- “ ଆଇନ ତା ବାଟରେ ଯାଉଛି ” । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡିତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ କି ଅପରାଧରେ ସଂପୃକ୍ତ ଥିବା ମନ୍ତ୍ରୀ ଓ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଡିଶାର ବ୍ୟଭିଚାର , ଅନାଚାରକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି | ପୁରୀ ଜିଲ୍ଲା ନିମାପଡାର ତତ୍‌କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ଵର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଠୋସ୍ ପ୍ରମାଣ ଥାଇ ବି ପୋଲିସ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ । ଲେଡି ବ୍ଲାକମେଲର ଅର୍ଜନା ନାଗଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ , ଟଙ୍କା ଲୁଣ୍ଠନ ଓ ବ୍ଲାକ ମେଲିଙ୍ଗ ଭଳି ଜଘନ୍ୟ ଅଭିଯୋଗ ଥିଲେ ମଧ୍ୟ କମିଶନରେଟ ପୋଲିସ କାହିଁକି ତାଙ୍କ ବିରୋଧରେ ଚାର୍ଜସିଟ୍ ନକରି ଘଂଟ ଘୋଡାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଥିବା ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ବ୍ୟଭିଚାରକୁ ମଧ୍ୟ ଜଣେ ଲେଡି ବ୍ଲାକମେଲର ସମାନ ଢଙ୍ଗରେ ପରିଚାଳନା କରୁଥିଲେ ଯାହା ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

Follow by Email
WhatsApp