ଧାମନଗର ଉପନିର୍ବାଚନ ପାଇଁ ‘ କାର୍ଯ୍ୟକର୍ତ୍ତା ବୈଠକ’ରେ କେନ୍ଦ୍ରମନ୍ତ୍ରୀ ବିଜେପି ବିଜୟର ଆୟୁଧ ହେବ ଧାମନଗରବାସୀଙ୍କ ଜନବଳ– ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ – ଧାମନଗରରେ ଶାସକ ଦଳର କ୍ଷମତା ଓ ଅର୍ଥବଳର ଅହଙ୍କାର ପୁଣି ଥରେ ଭଙ୍ଗ ହେବ > ବ୍ୟଭିଚାରିତା ଓ ମନୋମୁଖୀ ଶାସନ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି ଶାସକ ଦଳର କ୍ଷମତାର ଅପବ୍ୟବହାର ମହିଳାଙ୍କ ମନରେ ଆକ୍ରୋଶ ତିଆରି କରିଛି ଅତୀତରେ ଲମ୍ବା ସମୟ ଶାସନରେ ଥିବା ଲୋକମାନଙ୍କର ବି ଅହଙ୍କାର ଥିଲା – ଏକ କୁତ୍ସିତ ଘଟଣା ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିଥିଲା > ଧାମନଗର ସହ ବିଜେପିର ବିଗତ ୪୦ ବର୍ଷ ଧରି ସମ୍ପର୍କ ଓ ସଂଗଠନ ମଜଭୂତ ଅଛି > ବିଷ୍ଣୁ ଭାଇଙ୍କ ସୁପୁତ୍ର ସୂର୍ଯ୍ୟବଂଶୀଙ୍କୁ ଧାମନଗରବାସୀ ଆଶୀର୍ବାଦ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ

ଭଦ୍ରକ , ଅକ୍ଟୋବର ୨୧ (ଏନ ଟି ପି):

ସ୍ଵାଭିମାନୀ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ କ୍ଷମତା ଓ ଅର୍ଥବଳକୁ ଶାସକ ଦଳ ରଣନୀତି କରିଥିବା ବେଳେ ଧାମନଗରବାସୀଙ୍କ ଜନବଳ ବିଜେପି ବିଜୟର ଆୟୁଧ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭଦ୍ରକ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସଭାପତି , ରାଜ୍ୟ ପ୍ରଭାରୀ ସମେତ ଜିଲ୍ଲାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଅନୁଷ୍ଠିତ ‘ କାର୍ଯ୍ୟକର୍ତ୍ତା ବୈଠକ’ରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଧାମନଗର ହେଉଛି ସ୍ବାଭିମାନର ମାଟି । ଭଦ୍ରକର ବୀର ସଂଗ୍ରାମୀମାନେ ଦେଶର ସ୍ବାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ମାତ୍ର ଶାସକ ଦଳର ଲମ୍ବା ସମୟର ଶାସନ ପରେ ମଧ୍ୟ ଆଜି ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଭଦ୍ରକ ଜିଲ୍ଲା ଓ ଧାମନଗରବାସୀ ଉପେକ୍ଷିତ । ଏଠାରେ ଶାସକ ଦଳ ବିଜେଡ଼ି ଶାସନ କଳ ଓ ଅର୍ଥ ବଳକୁ ମାଧ୍ୟମ କରିଛନ୍ତି । କିନ୍ତୁ ବିଜେପି ସାଙ୍ଗରେ ଏ ଅଞ୍ଚଳରେ ଲୋକ ବଳ ଅଛି । ଯେଉଁ ସ୍ବାଭିମାନୀ ଅଞ୍ଚଳ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ନେତୃତ୍ବ ନେଇଥିଲା ସେହି ଅଞ୍ଚଳ ପାଇଁ ଶାସକ ଦଳ ଅହଙ୍କାର କରିବା ଉଚିତ୍ ନୁହେଁ । ଗତ ନିର୍ବାଚନରେ ଶାସକ ଦଳର ଅହଙ୍କାର ଯୋଗୁଁ ଧାମନଗରବାସୀ ତାଙ୍କ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଅତୀତରେ ମଧ୍ୟ ଲମ୍ବା ସମୟ ଶାସନରେ ଥିବା ଲୋକମାନଙ୍କର ଅହଙ୍କାର ଥିଲା । ମାତ୍ର ଏକ କୁତ୍ସିତ ଘଟଣା ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିଥିଲା ।

ସ୍ଥାନୀୟ ସରକାରର ବ୍ୟଭିଚାରିତା ଓ ମନୋମୁଖୀ ଶାସନ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗ ହେଉ କିମ୍ବା ଭୁବନେଶ୍ବରରେ କୁତ୍ସିତ କାଣ୍ଡରେ ଶାସକ ଦଳର ପ୍ରଭାବଶାଳୀ ନେତା ଓ ପ୍ରଶାସନର ପ୍ରତିପତ୍ତିଶାଳୀ ଲୋକମାନଙ୍କ ସମ୍ପୃକ୍ତି ରହିଥିବା ଖବର ପ୍ରସାରିତ ହେଉଛି । ଏହା ଶାସକ ଦଳର ପାରିବାପଣିଆର ନମୁନା । ଏହାକୁ ନେଇ ରାଜ୍ୟ ବିଶେଷ ଭାବରେ ମହିଳାଙ୍କ ମନ ଭିତରେ ଆକ୍ରୋଶ ତିଆରି ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଥର ଭାରତୀୟ ଜନତା ପାର୍ଟି ଧାମନଗରରେ ଲୋକବଳ ଆଧାରରେ ଉପନିର୍ବାଚନ ଲଢ଼ୁଅଛି । ବେରୋଜଗାରୀ , ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ , ଲୋକ ସମସ୍ୟା ସମେତ ଜନଆକାଂକ୍ଷାକୁ ପୂରଣ କରିବା ପାଇଁ ନିର୍ବାଚନ ଲଢାଯାଉଛି । ଧାମନଗର ଅଞ୍ଚଳ ସହ ବିଜେପିର ବିଗତ ୪୦ ବର୍ଷ ଧରି ସମ୍ପର୍କ ଓ ସଂଗଠନ ମଜଭୂତ ଅଛି । ଅଢେଇ ହଜାର ଭୋଟରୁ ୯୦ ହଜାର ଭୋଟ ପର୍ଯ୍ୟନ୍ତ ଏ ଅଞ୍ଚଳର ଲୋକମାନେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି । ଏହି ଆଧାରରେ ଆମ ଦଳ ଜିଲ୍ଲାର ସ୍ବାଭିମାନୀ ଲୋକଙ୍କ ପାଇଁ ନିର୍ବାଚନ ଲଢୁଛି । ଧାମନଗର ଅଞ୍ଚଳର ସ୍ବାଭିମାନୀ ନାଗରିକମାନେ ଦଳର ପ୍ରାର୍ଥୀ ତଥା ଦିବଙ୍ଗତ ବିଷ୍ଣୁ ଭାଇଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ଦେଇ ଜୟଯୁକ୍ତ କରିବେ । ଶାସକ ଦଳର ଅର୍ଥବଳ ଓ କୁଟନୀତିକୁ ଏଠାକାର ଜନତା ଉଚିତ୍‌ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Follow by Email
WhatsApp