ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ଉଦ୍ ଘାଟିତ

ଅନୁଗୋଳ(ଏନଟିପି):

ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲା ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା ।ଅନୁଗୋଳ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା।ଅନୁଗୋଳ ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଭୂଖଣ୍ଡ ରୂପେ ସୁବିଦିତ ।ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ହେବାର ୨୭ ବର୍ଷ ହୋଇଯାଇଛି କିନ୍ତୁ ଜିଲ୍ଲା ପାଳୁଛି ଅଷ୍ଟମ ଜିଲ୍ଲା ମହୋତ୍ସବ ।

ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ୧୧ ତାରିଖ ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି ।  ୧୧ ତାରିଖରୁ ତିନିଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ । ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଘାଟନି ଉତ୍ସବରେ ମୁଖ୍ୟ ଅତିଥି ରଜନୀକାନ୍ତ ସିଂହ ନିଜ ବକ୍ତବ୍ୟରେ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ,ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା , ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଅତୁଲ୍ୟ ଚମ୍ପତିରାୟ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଐତିହ୍ୟ , କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ ।

ମହୋତ୍ସବର ଉଦ୍‌ଘାଟନି ସନ୍ଧ୍ୟାରେ ଅନୁଗୋଳ ନୃତ୍ୟ ନିଳୟ କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ , କଣିହାଁ , ଆଠମଲ୍ଲିକ ,ଛେଣ୍ଡିପଦା ଓ ପାଲଲହଡା ବ୍ଲକ କଳା ସଂସ୍କୃତି ସଂଘ ଦ୍ୱାରା ଦଳଗତ ନୃତ୍ୟ ,ମଥୁରାର ମୟୂର ନୃତ୍ୟ , ବଲାଙ୍ଗୀରର ନଟରାଜ ନୃତ୍ୟ ଦଳ , ହାସ୍ୟ ଅଭିନେତା ଦଣ୍ଡପାଣି , ଚାରୁଲତା , ଗୁଡୁ ,  ସୂର୍ଯ୍ୟମୟୀ ମହାପାତ୍ର ,  ଦିପକ ବାରିକ , ସିଜଲର୍ସ ଡ୍ୟାନ୍ସ ଗ୍ରୁପ , କଣ୍ଠଶିଳ୍ପୀ ସୋନାଲି ନନ୍ଦ , ମଣ୍ଟୁ ଛୁରିଆ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଅଷ୍ଟମ ଜିଲ୍ଲା ମହୋତ୍ସବର ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । 

ମହୋତ୍ସବରେ ଅତିଥି ମାନଙ୍କ ଭାଷଣରେ ନିଜ ନିଜର ରାଜନୈତିକ କାର୍ଯ୍ୟ ବିଷୟରେ ବଖାଣିଥିଲେ।ମହୋତ୍ସବ ରେ ସାମ୍ବାଦିକଙ୍କୁ ଅସମ୍ମାନ ହୋଇଥିବା ନଜର ଆସିଥିଲା।ବିଳମ୍ବରେ ମହୋତ୍ସବ ଆରମ୍ଭ ହୋଇ ନେତାଙ୍କ ଭାଷଣ ରେ ଅତିଷ୍ଠ ହୋଇଥିଲେ ଦର୍ଶକ।ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଅସହ୍ୟ ଶୀତ ଲହରୀ ରେ ଦର୍ଶକଙ୍କ ଭିଡ଼ ନଥିଲା।

Follow by Email
WhatsApp