ବିହନ ବିଶୋଧନ ତାଲିମ ନେବେ ୭ ହଜାର ଚାଷୀ

କଟକ, (ଏନଟିପି ବ୍ୟୁରୋ): ଆସନ୍ତା ରବି ଋତୁରେ ମୁଗ ଓ ବିରି ସହିତ ତୈଳବୀଜ ଚାଷ କରୁଥିବା ଚାଷୀଙ୍କୁ ବିହନ ବିଶୋଧନ ଉପରେ ତାଲିମ ଦିଆଯିବ । ଜିଲ୍ଲା କୃଷି ବିଭାଗର ନିଷ୍ପତ୍ତି କ୍ରମେ ସମସ୍ତ ୧୪ଟି ଯାକ ବ୍ଲକରେ ମୁଗ ଓ ବିରି ଚାଷ କରୁଥିବା ଚାଷୀଙ୍କୁ ୧୪୦ଟି ପ୍ରଶିକ୍ଷଣ ଶିବିର ମାଧ୍ୟରେ ଉତ୍କୃଷ୍ଟ ମାନର ବିହନ ବ୍ୟବହାର ସହିତ ପୋକର ପ୍ରତିକାର ଉପରେ ତାଲିମ ଦିଆଯିବ ବୋଲି ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବିଭାଗୀୟ ସୂତ୍ରରୁ ଜଣାଯାଇଛି ଯେ, ୨୦୧୮-୧୯ ରବି ଋତୁରେ ୩୭ ହଜାର ୧୨୦ ହେକ୍ଟର ଜମିରେ କେବଳ ମୁଗ ଚାଷ କରାଯାଉଥିବା ବେଳେ ୩୭ ହଜାର ହେକ୍ଟର ଜମିରେ ବିରି ଚାଷ କରାଯିବ । ସେଥିମଧ୍ୟରୁ କଟକ ସଦର ଅଂଚଳରେ ୫ ହଜାର ହେକ୍ଟର ଜମିରେ ମୁଗ ବିରି ଚାଷ ହେଉଥିବା ବେଳେ ବାରଙ୍ଗରେ ୧ ହଜାର ୯୦୦, କଂଟାପଡ଼ାରେ   ୩ ହଜାର ୫୦୦, ନିଆଳିରେ ୬ ହଜାର ୧୨୦, ଟାଙ୍ଗି ଚୈାଦ୍ୱାରରେ ୬ ହଜାର ୧୦୦, ସାଲେପୁରରେ ୭ ହଜାର ୮୦୦, ନିଶ୍ଚିନ୍ତକୋଇଲିରେ ୬ ହଜାର ୯୦୦, ମାହାଙ୍ଗାରେ ୬ ହଜାର ୩୦୦, ଆଠଗଡରେ ୭ ହଜାର ୬୦୦, ତିଗିରିଆରେ ୨ ହଜାର ୭୫୦, ବଡମ୍ବାରେ ୪ ହଜାର ୭୫୦, ନରସିଂହପୁରରେ ସର୍ବାଧିକ ୮ ହଜାର ୫୦୦ ଓ ବାଙ୍କି ୧ ଓ ୨ରେ ୧ ହଜାର ୫୦୦ ହେକ୍ଟର ଜମିରେ ମୁଗ ବିରି ଚାଷ ହେବ । ତେବେ ଏହି ଋତୁରେ ମୁଗ ବିରି ସହିତ ସର୍ବମୋଟ୍ ୮୪ ହଜାର ୮୫୫ ହେକ୍ଟର ଜମିରେ କୋଳଥ, ବୁଟ, ମଟର ଆଦି ଚାଷ କରାଯାଉଥିବାରୁ ତାଲିମ ପରେ ସେମାନଙ୍କୁ ମାଗଣାରେ ବିଶୋଧକ ଔଷଧ ଯୋଗାଇ ଦିଆଯିବ । ଜାନୁଆରୀ ପହିଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ମାସ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି କଟକ ସଦର କୃଷି ଅଧିକାରୀ ଶଙ୍କର୍ଷଣ ସାହୁ କହିଛନ୍ତି । 

Follow by Email
WhatsApp