ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ମୁଗଲାଇ ପରଟା… ପଢ଼ନ୍ତୁ ପୁରା ରିପୋର୍ଟ…

ଭୁବନେଶ୍ୱର (ଏନଟିପି ବ୍ୟୁରୋ): ଆପଣ ବିଭିନ୍ନ ପ୍ରକାର ପରଟା ନୂଆ ଆଇଟମ ଖାଇବାକୁ ପସନ୍ଦ କରୁଥିବେ ନିଶ୍ଚିତ । ତେବେ କେବେ ମୁଗଲାଇ ପରଟା ଖାଇଛନ୍ତି କି? ଏହା ବହୁତ ସ୍ୱାଦିଷ୍ଟ। ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଅତି ସହଜ। ତା’ହେଲେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ସମ୍ପର୍କରେ।
ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ମଇଦା, ଲୁଣ, ଚିନି, ରିଫାଇନ୍‌ ତେଲ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ହଳଦି, ଜିରା, ଜିରା ପାଉଡର, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ପନିର, ବ୍ରେଡ୍‌ କ୍ରମ୍‌, ସିଝା ଆଳୁ, ଫୁଲକୋବି, କ୍ୟାପସିକମ୍‌, ଗାଜର, ବାଦାମ ଓ ଟମାଟୋ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨୫୦ ଗ୍ରାମ୍‌ ମଇଦାରେ ୧ ଚାମଚ ରିଫାଇନ୍‌ ତେଲ, କିଛି ଲୁଣ ଓ ଚିନିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ହାଲକା ଉଷୁମ ପାଣିରେ ଏହାକୁ ଚକଟି ଭଲ ଗୁଳା ପ୍ରସ୍ତୁତ କରି ଦିଅନ୍ତୁ। ଏହାପରେ ଏହାକୁ କିଛି ସମୟ ରଖି ଦିଅନ୍ତୁ।

ଏବେ ଏହାର ମସଲା ପ୍ରସ୍ତୁତ କରିବା। ପ୍ରଥମେ ଗ୍ୟାସ୍‌ ଅନ୍‌ କରି ପ୍ୟାନ୍ ବସାନ୍ତୁ। କିଛି ରିଫାଇନ୍‌ ତେଲ ପକାଇ ଗରମ କରନ୍ତୁ। ସେଥିରେ ଜିରା ପକାନ୍ତୁ। ତା’ପରେ ବାଦାମ ପକାନ୍ତୁ। ଏଥିରେ କିଛି ଅଦା, ରସୁଣ ଛେଚା ପକାଇ ଭାଜନ୍ତୁ, ଯେପରି କଞ୍ଚା ବାସ୍ନା ପଳାଇବ।
ଏହାପରେ ଏଥିରେ କଟା ପିଆଜ, ପୂରା ସରୁ ସରୁ କରି କଟାଯାଇଥିବା ଗାଜର, ଅତି ଛୋଟଛୋଟ କରି କଟା ହୋଇଥିବା ଫୁଲକୋବି, କ୍ୟାପସିକମ, ଟମାଟୋ, କଞ୍ଚାଲଙ୍କା ସହିତ ଲୁଣ, ହଳଦି, ଧନିଆ ପାଉଡ଼ର, ଜିରା ପାଉଡର ଓ ଅଧା ଚାମଚ ଲଙ୍କା ପାଉଡର ପକାଇ ଭାଜନ୍ତୁ। ଏହାପରେ ୨ ଟି ସିଝା ଆଳୁକୁ ଚକଟି ଏଥିରେ ପକାଇ ଦିଅନ୍ତୁ। କିଛି ସମୟ ପରେ ବ୍ରେଡ କ୍ରମ୍‌ ପକାନ୍ତୁ। ଏହାକୁ ୧ ମିନିଟ୍‌ ଭାଜିବା ପରେ ୧୦୦ ଗ୍ରାମ ପନିର ପକାନ୍ତୁ। କିଛି ସମୟ ଭାଜିବା ପରେ ପ୍ରସ୍ତୁତ ହୋଇଯିବ ମୁଗଲାଇ ପରଟାର ମସଲା।

ଏହାପରେ ଚକଟି ରଖିଥିବା ମଇଦା ଗୁଳା ବାହାର କରି ଛୋଟ ଛୋଟ ଗୁଳା କରନ୍ତୁ। ଏହାକୁ ପ୍ରଥମେ ରୁଟି ଆକାରରେ ବେଲନ୍ତୁ। ଏହା ମଝିରେ ପ୍ରସ୍ତୁତ ମସଲାକୁ ଦିଅନ୍ତୁ। ତା’ ଉପରେ ଚୁନା ଚୁନା କରି କଟା ହୋଇଥିବା ପିଆଜ, କଞ୍ଚାଲଙ୍କା ପକାନ୍ତୁ। ଏହାପରେ ଚାରି ପାଖକୁ ଭଲ ଭାବେ ଫୋଲ୍ଡ କରି ଦିଅନ୍ତୁ, ଯେପରି ମସଲା ବାହାରି ନ ଯିବ।

ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ଗୋଲଡେନ କଲର ହେବା ପର୍ଯ୍ୟନ୍ତ ୨ ପାର୍ଶ୍ୱକୁ ଫ୍ରାଏ କରନ୍ତୁ। ଏବେ ଏହାକୁ ବାହାରକୁ ଆଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମୁଗଲାଇ ପରଟା। ଏହାକୁ ସର୍ଭିଂ ପ୍ଲେଟକୁ ନେଇ ଛୁରିରେ ୨ଟି ପିସ୍‌ କରି ଦିଅନ୍ତୁ। ଏହା ପାର୍ଶ୍ୱରେ କଟା ପିଆଜ, କଞ୍ଚା ଲଙ୍କା ଦିଅନ୍ତୁ। ଏବେ ଗରମାଗରମ ପରସନ୍ତୁ ମୁଗଲାଇ ପରଟା।
Follow by Email
WhatsApp