ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର

NEWSTIMRPRO BUREAU :

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର। ୬ଟି ଲୋକସଭା ଆସନ ଓ ୪୧ଟି ବିଧାନସଭା ଆସନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ନିର୍ବାଚନ ପ୍ରଚାରରେ ଓହ୍ଲାଇଛନ୍ତି ଦଳର ହେଭିୱେଟ ନେତା । ବଡ଼ଚଣା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ମାରାଥନ ପ୍ରଚାର କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ରୋଡ ସୋ ଓ ପଦଯାତ୍ରା କରି ଜନସାଧାରଣଙ୍କୁ ଭେଟିଛନ୍ତି। କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଜୟ ସାମଲ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। କଂଗ୍ରେସ ଇସ୍ତାହାରକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚଳାଇଛନ୍ତି ପ୍ରୟାସ। ଧର୍ମଶାଳା ଆସନରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ କ୍ୟାମ୍ପେନ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ।
ବରୀରେ ହାଇଭୋଲଟେଜ ପ୍ରଚାର । ବରୀର ରସୁଲପୁର ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀ ସହ ପ୍ରଚାର କରିଛନ୍ତି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ବିଧାନସଭା ପ୍ରାର୍ଥୀ ସୁନନ୍ଦା ଦାସ। ସେପଟେ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ।
ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସମୀର ଦାଶ। ନିମାପଡ଼ା ନିର୍ବାଚନ ମଣ୍ଡଳରେ ପୂର୍ବରୁ କରିଥିବା ବିକାଶମୂଳକ କାମ ଓ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି ସମୀର। ଧାମନଗର ବିଧାନସଭା ଆସନରେ ବିଜେଡିର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ ରୋଡ ସୋ କରି ଭୋଟ ଭିକ୍ଷା କରିଛନ୍ତି। ଦୀର୍ଘ ୧୫କିମି ମୋଟରସାଇକେଲ ଶୋଭାଯାତ୍ରାରେ ଭୋଟରଙ୍କୁ ଭୋଟ ପାଇଁ କରିଥିଲେ ନିବେଦନ। ଭଣ୍ଡାରୀପୋଖରୀ ଆସନରେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ।

ଆଉ ଦୁଇଦିନ ପରେ ଥମିବ ପ୍ରଚାର। ଅଧିକରୁ ଅଧିକ ପ୍ରଚାର କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି ସବୁ ଦଳ।

Follow by Email
WhatsApp