୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ ହୁଏତ ପୂର୍ଣ୍ଣ ବହୁମତ ମିଳିବ ନାହିଁ। ସେଥିରେ ଏକମାତ୍ର ବ୍ୟତିକ୍ରମ ଥିଲା “ଚାଣକ୍ୟ’’। ଆରଏନବି ରିସର୍ଚ୍ଚ ନାଁରେ ପଞ୍ଜିକୃତ “ଚାଣକ୍ୟ” ସେତେବେଳେ ଭବିଷ୍ୟବାଣୀ କରିଥିଲା ଯେ କେବଳ ବିଜେପିକୁ ୨୦୧୪ ରେ ୨୯୧ ଟି ଆସନ ଓ କଂଗ୍ରେସକୁ ୫୭ ଟି ଆସନ ମିଳିବ। ଫଳାଫଳ ବାହାରିଲା ପରେ ଦେଖାଗଲା “ଚାଣକ୍ୟ” ର ଭବିଷ୍ୟବାଣୀ ପ୍ରାୟ ସତ୍ୟ ପ୍ରମାଣିତ ହୋଇଛି। ବାସ୍ତବରେ ବିଜେପିକୁ ୨୮୨ ଓ କଂଗ୍ରେସକୁ ୪୪ ଟି ଆସନ ମିଳିଥିଲା। ସେହିପରି ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଷୟରେ ମଧ୍ୟ ଏହି ସଂସ୍ଥାର ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଥିଲା।

ତେଣୁ “ଚାଣକ୍ୟ” ବର୍ତ୍ତମାନ ସମୟରେ ଟେଲିଭିଜନ ଜଗତରେ ସବୁଠୁ ବିଶ୍ଵସ୍ତ ନିର୍ବାଚନ ବିଶ୍ଳେଷକ ବୋଲି କୁହାଯାଉଛି।୨୦୧୯ ନିର୍ବାଚନ ଘୋଷଣା ହେବାର ସପ୍ତାହେ ଆଗରୁ “ଚାଣକ୍ୟ” ୨୦୧୯ ନିର୍ବାଚନ ସମ୍ପର୍କରେ ଯେଉଁ ଭବିଷ୍ୟବାଣୀ କରିଛି ତାହା ବିଜେପି ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। ପୁଲବାମା ଘଟନା ପରେ ଜାତୀୟତାବାଦର ହାୱା ବୋହୁଛି ଓ ସେହି ହାୱାରେ ମୋଦୀ ସରକାର ପୁଣିଥରେ ନିର୍ବାଚନ ଜିତିଯିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ସେ ଚର୍ଚ୍ଚାରେ “ଚାଣକ୍ୟ’ ପାଣି ଢାଳି ଦେଇଛି। ପୁଲବାମା ପରବର୍ତ୍ତୀ ସମୟର ଜନମତକୁ ବିଶ୍ଳେଷଣ କରି “ଚାଣକ୍ୟ”ର ପାର୍ଥ ଦାସ ଘୋଷଣା କରିଛନ୍ତି ଯେ ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀ ପୁଣିଥରେ ସରକାର ଗଢିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ସଂସ୍ଥା ତରଫରୁ ପାର୍ଥ ଦାସ ତାଙ୍କ ଟୁଇଟର ୱାଲ ରେ ରାଜ୍ୟୱାରି ଜୟ ପରାଜୟର ଭବିଷ୍ୟବାଣୀ କରିଛନ୍ତି। ଏହି ନିର୍ବାଚନରେ ବିଜେପି ନେତୃତ୍ଵରେ ଏନଡିଏ ମାତ୍ର ୧୯୮ , କଂଗ୍ରେସ ନେତୃତ୍ଵରେ ୟୁପିଏ ୨୦୫ ଓ ଅନ୍ୟମାନେ ୧୪୦ ଟି ଆସନ ପାଇବେ ବୋଲି କୁହାଯାଇଛି। ବିଜେପି ୧୪୦-୧୫୦ ଆସନ ଭିତରେ ସୀମିତ ରହିପାରେ ବୋଲି ଏହି ସଂସ୍ଥା ଭବିଷ୍ୟବାଣୀ କରିଛି।
