ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ

ଅନୁଗୋଳ (ଏନଟିପି)

ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଗ୍ରାଧିକାର ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ ସେ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଲେ ଜିଲ୍ଲାରେ ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ଜିଲ୍ଲାପାଳଙ୍କ ସହ ଆଲୋଚନାରୁ ଯାହା ଜାଣିଲି ଯେ ଜିଲ୍ଲାରେ କିଛି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକୁ ମୁଁ ଅଗ୍ରାଧିକାର ଭିତ୍ତିରେ ସମ୍ପୁର୍ଣ୍ଣ କରିବି ବୋଲି ସେ ପ୍ରକାଶ କରିଥିଲେ । ନିଜ ଜିଲ୍ଲା ବାଲେଶ୍ୱର ହୋଇଥିବା ବେଳେ ସେ ଏହା ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସଚିବ , ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ , ବ୍ରହ୍ମପୁର ପୌରନିଗମର କମିଶନର , ଓଡିଶା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମବାୟ ନିଗମର ସାଧାରଣ ପରିଚାଳକ ଓ ନିଳଗିରି ଉପଜିଲ୍ଲାପାଳ ଭାବେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ନୂତନ ଜିଲ୍ଲାପାଳ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ,ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି , ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଡେପୁଟୀ କଲେକ୍ଟର (ନିର୍ବାଚନ) ବୈତୁରା ଦୀପଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଜିଲ୍ଲାପାଳ ପୂର୍ବତନ ଜିଲ୍ଲାପାଳଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜିଉ ଓ ମା ବୁଢ଼ୀ ଠାକୁରାଣୀଙ୍କର ପୂଜାର୍ଚ୍ଚନା କରିଥିଲେ ।


Follow by Email
WhatsApp