ମା ଓ ଭଉଣୀଙ୍କ ଲୁହରେ ଧ୍ୱଂସ ହେବ ବିଜେଡି ସରକାର : ବିଜେପି

ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଜନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନରେଟ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ »

ବିଜେଡି ଦ୍ୱାରା ପରିଚାଳିତ ପୋଲିସ ପ୍ରଶାସନ ସମାଜ ଓ ଗଣତନ୍ତ୍ର ପାଇଁ ବିପଦ > ପୋଲିସର ବିଶ୍ୱସନୀୟତା ହ୍ରାସ କାରଣରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ »

୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ

ଭୁବନେଶ୍ୱର , ତା.୨୨ / ୧୦ :

ସମାଜ ଗଠନରେ ଶିକ୍ଷାବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟରେ ସଶକ୍ତ ଶିକ୍ଷା ବ୍ୟବସ୍ଥା ପରିଚାଳନା ଦାୟୀତ୍ଵ ହେଉଛି ଶିକ୍ଷାମନ୍ତ୍ରୀଙ୍କର ଆଉ ସଠିକ ଆଇନଶୃଙ୍ଖଳା ପରିଚାଳନାର ଦାୟୀତ୍ବ ହେଉଛି ଗୃହମନ୍ତ୍ରୀଙ୍କର । ଉଭୟ ଯଦି ଦିଗହରା ହେବା ସହିତ ଆଇନ ବହିର୍ଭୂତ କାର୍ଯ୍ୟ କରିବେ , ତାହେଲେ ଗଣତନ୍ତ୍ର ଭୂଷୁଡି ପଡିବା ନିଶ୍ଚିତ । ଦୀର୍ଘ ୨୨ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ରହି ଶାସକ ବିଜେଡି ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ଅତୀତରେ ବହୁ ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବା ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କୁ ସୁରକ୍ଷା ପ୍ରଦାନ କରିଆସୁଥିବା କାରଣରୁ ଆଜି ରାଜ୍ୟରେ ଅନାଚାର ଓ ବ୍ୟଭିଚାର ସମସ୍ତ ସୀମା ଅତିକ୍ରମ କରିସାରିଛି । ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବ ସାଜିଛନ୍ତି ରାଜ୍ୟ ସରକାର ଏବଂ ଆଖି ବନ୍ଦ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ଵେ ଶାସକ ବିଜେଡିର ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସୁସ୍ଥ ସମାଜ ଓ ଗଣତନ୍ତ୍ର ପ୍ରତି ବିପଦ । ପୋଲିସର ବିଶ୍ଵାସନିୟତା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥୁ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା , ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି , ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ , ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଦୁର୍ନୀତି ପରେ ବର୍ତମାନ ରାଜ୍ୟରେ ଦିନକୁ ଦିନ ମହିଳା ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇଚାଲିଛି । ପ୍ରାୟ ସମସ୍ତ ଘଟଣାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ମିଳୁଛି । ମହିଳା ସଶସ୍ତୀକରଣ ବଦଳରେ ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କ ଦ୍ବାରା ଶୋଷଣ କରାଯାଉଛି । ମା ଓ ଭଉଣୀଙ୍କ ଲୁହରେ ବିଜେଡି ସରକାର ଧ୍ବଂସ ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଯୌନ ବ୍ୟଭିଚାର ସହିତ ବ୍ୟାପକ ମାତ୍ରାରେ ଅନୈତିକ ଆର୍ଥିକ କାରବାର ମଧ୍ୟ ସାମ୍ନାକୁ ଆସୁଛି । ଅର୍ଜନାର ନିୟନ୍ତ୍ରଣରେ ରାଜ୍ୟ ସରକାର ଥିଲା ଏବଂ ଏହି କାରଣରୁ ସଚିବାଳୟ ଓ ବିଧାନସଭାରେ ତାର ଅବାଧ ପ୍ରବେଶ ଥିଲା । ଅର୍ଜନା ସ୍କାଣ୍ଡାଳର ବହୁ ତଥ୍ୟ ଓ ପ୍ରମାଣ ଜବତ୍ କରାଯାଇଛି ବୋଲି ପୋଲିସ କହିସାରିଛି । ସେହିପରି ମନ୍ତ୍ରୀ ସମୀର ଦାଶଙ୍କ ଘନିଷ୍ଠ ସହଯୋଗୀ ଧର୍ମେନ୍ଦ୍ର ସାହୁର ମୃତ୍ୟୁର କାରଣ ନିଜେ ମନ୍ତ୍ରୀ ଶ୍ରୀ ଦାଶ ବୋଲି ମୃତ୍ୟୁ ପୂର୍ବରୁ ସ୍ଵର୍ଗତଃ ସାହୁ ଅଡିଓ ଜାରି କରି କହିଥିଲେ । ଏହା ସତ୍ତ୍ଵେ ପୋଲିସ ନୀରବ ରହିବା ଆଦୌ ଗ୍ରହଣୀୟ ନୁହେଁ । ଆସନ୍ତା ୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Follow by Email
WhatsApp