ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ

ଅନୁଗୋଳ(ଏନଟିପି):

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ।

ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଘରେ ରହି ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଶନିବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ସ୍ବର୍ଗତ ପ୍ରଧାନଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଶ୍ରୀପ୍ରଧାନ ଅନୁଗୋଳ ଜିଲ୍ଲାର ଯୁବଉଦ୍ୟୋଗୀ ତଥା ସମାଜସେବୀ ଏବଂ ଲାୟନ୍ସ କ୍ଲବ ଅନୁଗୋଳ ୟୁଥ୍ ର ସଭାପତି ଓ ଠାକୁରଗଡ଼ ୟୁଥ ପାୱାର ସଙ୍ଗଠନର ପ୍ରତିଷ୍ଠାତା ଶଶାଙ୍କ ଶେଖର ପ୍ରଧାନଙ୍କ ବଡବାପା ଅଟନ୍ତି।
ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ରବିବାର ଅପରାହ୍ନରେ ମହାତ୍ମାଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ ବାମୁର ପକ୍ଷରୁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଆମ ରାଜ୍ୟ ତଥା ଦେଶ ଏକ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଏବଂ ଏହା ଆମ ଅଞ୍ଚଳ ତଥା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟର ଅପୂରଣୀୟ କ୍ଷତି ବୋଲି କହିଥିଲେ। ବିଧାୟକଙ୍କ ସହ ଏହି ସ୍ମୃତିସଭାରେ ଅଞ୍ଚଳର ବହୁ ମାନ୍ୟଗନ୍ୟ ବକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । 
୧୯୩୫ ମସିହା ସେପ୍ଟେମ୍ବର ୨ ତାରିଖରେ କିଶୋରନଗର ବ୍ଲକର କଦଳିମୁଣ୍ଡା ଗ୍ରାମରେ ଶ୍ରୀପ୍ରଧାନ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ ମସିହାରେ ସେ ବ୍ରହ୍ମପୁର ସ୍ଥିତ ଖଲିକୋଟ ସରକାରୀ ଚାରୁ ଓ ଚାରୁକଳା ମହାବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ପାଇ ଶ୍ରେଷ୍ଠ ସ୍ଥାନରେ ରହି ଉତିର୍ଣ୍ଣ ହେବାପରେ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ କଳା ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ନିଜର ପ୍ରତିଭା ଓ ପାରଦର୍ଶିତା ଯୋଗୁ ଏନ.ସି.ଇ.ଆର୍.ଟି. ନୂଆଦିଲ୍ଲୀଙ୍କ ଦ୍ଵାରା “ରିସୋର୍ସ ପର୍ସନ” ରୂପେ ମନୋନୀତ ହେବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ କର୍ମଶାଳା, ଶିବିର ଓ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇ ୧୯୮୪ ମସିହାରେ ଇଂଲଣ୍ଡର ଗ୍ଲାସଗୋ ବିଶ୍ୱବିଦ୍ୟାଳୟରେ ଗ୍ରାଫିକ୍ ଆନିମେସନରେ ତାଲିମ୍ ନେଇଥିଲେ। ଶ୍ରୀ ପ୍ରଧାନ ଜଣେ ପ୍ରବୀଣ କଳା ଶିକ୍ଷକ ରୂପେ ନିଜକୁ ପ୍ରତିପାଦିତ କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମ ପ୍ରସ୍ତୁତି କମିଟିର ସଦସ୍ୟ, ଅଧ୍ୟକ୍ଷ ତଥା ପରୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଥିଲେ। ରଙ୍ଗ ଓ ତୂଳୀରେ ଉତ୍କର୍ସ କଳା ପ୍ରଦର୍ଶନ କରି ଜଣେ ଉଚ୍ଚ କୋଟିର ଚିତ୍ରଶିଳ୍ପୀ ଭାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଡିଶା ଲଳିତ କଳା ଏକାଡେମୀ, କେନ୍ଦ୍ର ଲଳିତ କଳା ଏକାଡେମୀ ଏବଂ ଅନ୍ୟାନ୍ୟ ଘରୋଇ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଭାସ୍କର୍ଯ୍ୟ ଓ କଳାଚିତ୍ର ଶିବିରରେ ଯୋଗଦାନ କରି ନିଜର ଅମ୍ଳାନ ସୃଜନୀ ପ୍ରତିଭାକୁ ବିକଶିତ କରିବା ସହିତ ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇ ରାଜ୍ୟ ଏବଂ ଦେଶର ଗୌରବ ବୃଦ୍ଧି କରାଇଥିଲେ। 
ଜଣେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିବା ସ୍ବର୍ଗତ ପ୍ରଧାନ ୧୯୭୩ ମସିହାରେ ଭାରତୀୟ ଜାତୀୟ ଏକାଡେମୀ କୋଲକାତା ସହରରୁ ସମ୍ମାନୀତ ହୋଇଥିଲେ । ସେହିପରି ୧୯୭୭ ମସିହାରେ ଓଡିଶା ଲଳିତ କଳା ଏକାଡେମୀ, ୧୯୮୪ ରେ ସର୍ବଭାରତୀୟ ଚାରୁକଳା ଓ କାରୁକଳା ସୋସାଇଟି ନୂଆଦିଲ୍ଲୀ, ୧୯୮୫ରେ ଲଣ୍ଡନ ବ୍ରିଟିଶ ହାଇକମିଶନଙ୍କ ତରଫରୁ ସାର୍ଟିଫିକେଟ ପ୍ରାପ୍ତ କରିଥିଲେ। ୧୯୯୬ ମସିହାରେ ରାଷ୍ଟ୍ରପତି ଶଙ୍କରଦୟାଲ ଶର୍ମାଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର, ୧୯୯୮ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ବିଷୁବ ସମ୍ମାନ ଓ ୧୯୯୯ ମସିହାରେ ରାଜ୍ୟପାଳ ପୁରଷ୍କାର ପାଇଥିଲେ ସ୍ବର୍ଗତ ପ୍ରଧାନ। ଏହା ବାଦ୍ ଅନୁଗୋଳର ଶ୍ରେଷ୍ଠ ନାଗରିକ ସମ୍ମାନ, ସାଂସ୍କୃତିକ ଅନୁଷ୍ଠାନ ରାଗରଙ୍ଗ ଭୂବନେଶ୍ବର ପକ୍ଷରୁ କଳାରତ୍ନ ସମ୍ମାନ, ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସଂସଦ ଜଗତସିଂହପୁର ପକ୍ଷରୁ ପ୍ରଭୁଚରଣ ସ୍ମୃତି ସମ୍ମାନ, ସାରେଗା ସାଂସ୍କୃତିକ ଅନୁଷ୍ଠାନ ଆଠମଲ୍ଲିକ ତରଫରୁ କୁଳମଣି ସିଂ ଶ୍ରେଷ୍ଠ ନାଗରିକ ସମ୍ମାନ, ପ୍ରଜାତନ୍ତ୍ର ପ୍ରଚାର ସମିତି କଟକ ପକ୍ଷରୁ ପ୍ରଜାତନ୍ତ୍ର କଳା ପୁରସ୍କାର, କଳାକାର ଅନୁଗୋଳ ପକ୍ଷରୁ ପ୍ରତିଭା ସମ୍ମାନ, ପଞ୍ଚଧାରା ସାହିତ୍ୟ ସଂସଦ ଆଠମଲ୍ଲିକ ପକ୍ଷରୁ ଯମେଶ୍ୱର ମିଶ୍ର କଳା ସମ୍ମାନ, ଲାୟନ୍ସ କ୍ଲବ ଅନୁଗୋଳ ତରଫରୁ ପ୍ରାଇଡ୍ ଅଫ ଅନୁଗୋଳ ସମ୍ମାନ ଏବଂ ମୌସୁମୀ ପ୍ରଧାନ ଫାଉଣ୍ଡେସନ ଆଠମଲ୍ଲିକ, ସୁନନ୍ଦା ପାଠୀ ଫାଉଣ୍ଡେସନ ଭୁବନେଶ୍ବର, ୱାର୍କିଙ୍ଗ ଆର୍ଟିଷ୍ଟ ଆସୋସିଏସନ୍ ଭୂବନେଶ୍ବର, ଗଞ୍ଜାମ ଜିଲ୍ଲା କଳା ଶିକ୍ଷକ ସଂଘ ବ୍ରହ୍ମପୁର, ସୋସିଓ କଲଚରାଲ୍ ସେଣ୍ଟର ଭୂବନେଶ୍ବର, ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ଆଦି ଅନେକ ସାମାଜିକ ସଂଗଠନ ତରଫରୁ ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ।
ରାଧାନାଥ ଉଚ୍ଚତର ଶିକ୍ଷା ଅନୁଷ୍ଠାନ, କଟକରୁ ସରକରୀ ବୃତ୍ତିରୁ ଅବ୍ୟାହତ ନେବା ପରେ ବାମୁର ସ୍ଥିତ ନିଜ  ବାସଭବନରେ ରହି ମହାତ୍ମା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନଙ୍କୁ ଆଣି ମହାତ୍ମା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ, ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଉପରେ ଆଧାରିତ ଏକ ଆର୍ଟ ଗ୍ୟାଲେରୀ କରି ଦୁର୍ଲ୍ଲଭ କଳାକୃତିର ଛାପ ଛାଡିଯାଇଛନ୍ତି। ଯାହା ଆଗମି ଦିନରେ ତାଙ୍କର ସ୍ମୃତି ହୋଇ ରହିବ।
FILE PIC
Follow by Email
WhatsApp