*ତାତିରୁ ମିଳିବ ଆଶ୍ୱସ୍ତି : ସୋମବାର ଠାରୁ ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା , ୨୧ ଓ ୨୨ତାରିଖରେ ରାଜ୍ୟରେ ବଢ଼ିବ ବର୍ଷାର ପରିଣାମ

ଭୁବନେଶ୍ୱର(ଏନଟିପି)

ଆସନ୍ତା ସୋମବାର ଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ୨୧ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୭ -୨୮ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବ ଆଶ୍ୱସ୍ତି । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ କମ ରହିବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।
ଆସନ୍ତା ୪-୫ଦିନ ବଙ୍ଗୋପସାଗରରୁ ଉପକୂଳ ଆଡକୁ ପବନ ବୋହିବ । ସେଥିରେ ଜଳୀୟ ବାଷ୍ପ ରହିବ । ସେହିପରି ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ଭାରତରୁ ପୂର୍ବ ଭାରତ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି । ଉଭୟର ପ୍ରଭାବରେ ଆସନ୍ତା ୨୧ ଓ ୨୨ ତାରିଖରେ ଓଡ଼ିଶା ସମେତ ପୂର୍ବଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଦେଖା ଦେବ । ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ପୂର୍ବାନୁମାନ କରିଛି ।
ଆଜି ମାଲକାନଗିରି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ଉପରୋକ୍ତ ସ୍ଥାନଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମାତ୍ର ୨୧ରୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ୨୧ରୁ ବର୍ଷା ହେବା ସହିତ ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାତିର ପ୍ରକୋପ କମ ରହିବ । ଉପକୂଳରେ ୩୫ରୁ ୩୬ଂ ସେଲସିୟସ୍‌ ଏବଂ ଆଭ୍ୟନ୍ତରୀଣ ଓଡ଼ିଶରେ ୩୮ଂ ସେଲସିୟସ୍‌ ପର୍ଯ୍ୟନ୍ତ ସର୍ବୋଚ୍ଚ ତାତି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ରବିବାର ତାଳଚେର ଓ ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୪୦ଂ ସେଲସିୟସ୍‌ ଥିବା ବେଳେ ଟିଟିଲାଗଡ଼ରେ ୩୮ଂ ସେଲସିୟସ୍‌, ବଲାଙ୍ଗୀରରେ ୩୭.୬ଂ ସେଲସିୟସ୍‌ ଓ ସୁନ୍ଦରଗଡ଼ରେ ୩୭.୫ଂ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ରବିବାର ସକାଳ ୮ଟା୩୦ ସୁଦ୍ଧା ଫୁଲବାଣୀରେ ୩୧ ମିଲିମିଟର, କଟକରେ ୨୮ ମିଲିମିଟର, ବାଲେଶ୍ୱରରେ ୨୦ମିଲିମିଟର, ପାରାଦୀପରେ ୧୯ମିଲିମିଟର, ବାରିପଦାରେ ୧୬ମିଲିମିଟର, ଝାରସୁଗୁଡାରେ ୧୫ ମିଲିମିଟର ଓ ଛତ୍ରପୁରରେ ୧୦ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।
Follow by Email
WhatsApp