ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ତାଳଚେରର ବିଭିନ୍ନ ସ୍ଥାନରେ ୫୦ ଥର ରକ୍ତଦାନ କରିଥିବା ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସ୍ଥାନୀୟ ସଭାଘର ଠାରେ ତାଳଚେର ରକ୍ତଦାତା ସଂଘ ପକ୍ଷରୁ ୮ମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ମାନୀତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ବିଡିଓ ନେତ୍ରାନନ୍ଦ ମଲ୍ଲିକ୍, ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ମାନସ ସାହୁ, ରକ୍ତଦାତା ସଂଘର ସାଧାରଣ ସଂପାଦକ ଦୀପକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରୀ ସାହୁ ଓ ସମାଜସେବା ପାଇଁ ପ୍ରେରଣା ଦେଇ ଆସୁଥିବା ତାଙ୍କ ମାଆ ମାଳତୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ସାହୁଙ୍କର ମାଆ ମାଳତୀ ସାହୁ ରକ୍ତ ହୀନତା ରୋଗରେ ପିଡିତ ହୋଇ ଏଫ୍.ସି.ଆଇ. ମେଡିକାଲ୍ ରେ ଚିକିତ୍ସାଧିନ ଥିଲା ବେଳେ ରକ୍ତର ଆବଶ୍ୟକ ବୋଲି ଡାକ୍ତର କହିଲେ ।

ସେହି ସମୟରେ ପାଖ ବେଡ୍ ରେ ଚିକିତ୍ସାଧିନ ଥିବା ଜଣେ ସଂପର୍କୀୟଙ୍କୁ ଦେଖିବାକୁ ଯାଇଥିବା ସନ୍ଥପଡା ଗ୍ରାମର ପଶୁ ଡାକ୍ତର ଭୀମସେନ୍ ସାମଲ ଶ୍ରୀ ସାହୁଙ୍କ ମାଆଙ୍କର ରକ୍ତର ଆବଶ୍ୟକତା ଶୁଣି ନିଜେ ଗତ ତା୭/୯/୮୪ ରିଖରେ କଟକ ରେଡକ୍ରସ୍ ଭବନକୁ ଯାଇ ଜଣେ ଅଚିହ୍ନା ବ୍ୟକ୍ତିର ରକ୍ତ ଯୋଗାଡ କରି ଆଣି ଲଗାଇବା ପରେ ଦୀର୍ଘ ୩୫ ବର୍ଷ ହେଲା ଆଜି ପର୍ଯ୍ୟନ୍ତ ମାଆ ବଂଚି ରହିଛନ୍ତି । ସେହି ସମୟରେ ଶ୍ରୀ ସାହୁଙ୍କ ବୟସ ମାତ୍ର ୭ ବର୍ଷ ହୋଇଥିଲା । ସେହିଦିନ ଠାରୁ ଶ୍ରୀ ସାହୁ ଅନ୍ୟକୁ ରକ୍ତ ସାହାଯ୍ୟ କରିବା ପାଇଁ ନିଷ୍ପତି ନେଇଥିଲେ । ୧୯୯୮ ମସିହାରେ ପ୍ରଥମେ ସେ ନିଜ ସାଙ୍ଗ ସାଥୀ ମାନଙ୍କ ଠାରୁ ରକ୍ତ ଯୋଗାଡ କରି ସେଂଟ୍ରାଲ୍ ହସ୍ପିଟାଲ୍ ରେ ରୋଗୀ ମାନଙ୍କୁ ସାହାଯ୍ୟ କରିଥିଲେ । ଶ୍ରୀ ସାହୁ ଗତ ତା୧୨/୧୨/୨୦୦୩ ରିଖରେ ପ୍ରଥମେ ସ୍ୱେଚ୍ଛାକୃତ ଭାବେ ଢେଙ୍କାନାଳ ମେଡିକାଲ୍ ରେ ରକ୍ତଦାନ କରି ଆଜକୁ ୫୦ ଥର ରକ୍ତଦାନ କରିବା ସହିତ ବିଭିନ୍ନ ରୋଗୀକୁ ମଧ୍ୟ ରକ୍ତ ଯୋଗାଡ କରି ଜୀବନ ବଂଚାଇବାର ସହାୟକ ହୋଇପାରିଛନ୍ତି ।

Follow by Email
WhatsApp