ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହେଲା ନୂଆ ବିଶ୍ୱ ଚାମ୍ପିୟନ

ଇଂଲଣ୍ଡ (ଏନ ଟି ପି ):

ଦୀର୍ଘ ୧୯ ବର୍ଷ ପରେ କ୍ରିକେଟ୍ ଜଗତକୁ ମିଳିଲା ନୂତନ ବିଶ୍ଵ ଚମ୍ପିଆନ। କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ପ୍ରଥମ ଥର ବିଶ୍ଵକପ ଜିତିବାରେ ହୋଇଛି ସଫଳ। ଐତିହାସିକ ଲର୍ଡ୍ସ ପଡିଆରେ ଖେଳାଯାଇଥିବା ରୋମାଞ୍ଚକର ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ସୁପର ଓଭର ଏଲିମିନେଟରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ବିଶ୍ଵକପର ଦ୍ଵାଦଶ ସଂସ୍କରଣରେ ଚମ୍ପିଆନ ହୋଇଛି। ବିଶ୍ଵକପ ଫାଇନାଲ ଇତିହାସରେ ପ୍ରଥମଥର ସୁପର ଓଭର ଖେଳାଯାଇଥିଲା। ମାତ୍ର ସୁପର ଓଭରରେ ମଧ୍ୟ ମଧ୍ୟ ମ୍ୟାଚ୍ ଡ୍ର ରହିଥିଲା। କିନ୍ତୁ ଫାଇନାଲ ମୁକାବିଲାରେ ଅଧିକ ବାଉଣ୍ଡ୍ରି ମାରିଥିବା କାରଣରୁ ଇଂଲଣ୍ଡ ମ୍ୟାଚ୍ ଜିତିଥିଲା। ଅନ୍ୟ ପଟେ ତିନି ଥର ଦିନିକିଆ କ୍ରିକେଟ୍ ବିଶ୍ଵକପ ଫାଇନାଲରେ ପରାସ୍ତ ହୋଇଥିବା ଇଂଲଣ୍ଡ ନିଜର ଘରୋଇ ମାଟିର ଫାଇଦା ଉଠାଇ ବିଶ୍ଵ ଚମ୍ପିଆନ ହେବା ସୁଯୋଗକୁ ହାତଛଡ଼ା କରି ନାହିଁ। ଏହା ପୂର୍ବରୁ ଦଳ ୧୯୭୯, ୧୯୮୭ ଏବଂ ୧୯୯୨ରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ଜିତି ପାରିନଥିଲା। ଦୀର୍ଘ ୪୪ ବର୍ଷର ପ୍ରତୀକ୍ଷା ପରେ ଶେଷରେ ଇଂଲଣ୍ଡ ବିଶ୍ଵକପ ଜିତିବାରେ ସକ୍ଷମ ହୋଇଛି।
ଅନ୍ୟ ପଟେ କ୍ରମାଗତ ବିଶ୍ଵକପ ଫାଇନାଲରେ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ। ଏଥର ଇଂଲଣ୍ଡ ହାତରୁ ହାରି ପ୍ରଥମ ଥର ବିଶ୍ଵକପ ଜିତିବା ସ୍ଵପ୍ନ କିଓ୍ଵି ଦଳର ଧୂଳିସାତ ହୋଇଛି। ଦଳ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵକପ ଫାଇନାଲରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଦଳ ୨୦୧୫ ବିଶ୍ଵକପରେ ଫାଇନାଲକୁ ଉନ୍ନୀତ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା
ଆଇସିସି ବିଶ୍ଵକପର ଦ୍ଵାଦଶ ସଂସ୍କରଣରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ହେନରି ନିକୋଲାସଙ୍କ ୫୫ ଏବଂ ଟମ ଲାଥମଙ୍କ ୪୭ ରନର ସଂଘର୍ଷପୂର୍ଣ୍ଣ ପାଳି ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୪୧ ରନର ସମ୍ମାନଜନକ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଅପରାଜିତ ୮୪ ଏବଂ ଜୋସ ବଟଲରଙ୍କ ୫୦ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ୫୦ ଓଭରରେ ୨୪୧ ରନ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚ୍ ଡ୍ର ରହିଥିଲା। ଏହା ପରେ ମ୍ୟାଚର ଫଇସଲା ପାଇଁ ସୁପର ଓଭରର ସହାୟତ ନିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସୁପର ଓଭରରେ ୧୫ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ୧୫ ରନ କରିଥିଲା ମାତ୍ର ମ୍ୟାଚରେ ଅଧିକ ବାଉଣ୍ଡ୍ରି ମାରିଥିବା କାରଣରୁ ଇଂଲଣ୍ଡ ଫାଇନାଲ ମ୍ୟାଚ୍ ଜିତି ବିଶ୍ଵ ଚମ୍ପିଆନ ହୋଇଛି। ବୋଲିଂରେ କ୍ରିସ୍ ଓ୍ଵକ୍ସ ଓ ଲିୟାମ ପ୍ଲଙ୍କେଟ୍ ୩-୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ।
୨୪୨ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଉପରେ ବିଶ୍ଵକପର ଚାପ ବହୁତ ଥିଲା। ଦଳର ଆରମ୍ଭ ଭଲନଥିଲା। ଦୁଇ ସଫଳ ଓପନର ଜୋନି ବେୟାରଷ୍ଟୋ ଓ ଜାସନ ଏହି ଟାଇଟଲ ମୁକାବିଲାରେ ପ୍ରଥମ ଓ୍ଵିକେଟ୍ ପାଇଁ ୫.୪ ଓଭରରେ ୨୮ ରନ ଯୋଡିବାରେ ସକ୍ଷମ ହୋଇଥିଲେ। ଜାସନ ରୟ(୧୭)ଙ୍କୁ ଆଉଟ୍ କରି ମାଟ ହେନରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଜୋ ରୁଟ(୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଡି ଗ୍ରାଣ୍ଡହୋମ ରୁଟଙ୍କୁ ପାଭିଲିୟନ ପଠାଇ ଦଳକୁ ବହୁତ ବଡ଼ ସଫଳତା ଦେଇଥିଲେ।
ଏହା ପରେ ଇଂଲଣ୍ଡ ଶୀଘ୍ର ଆଉ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଦଳ ୭୧ ରନ ସ୍କୋରରେ ଇନଫର୍ମ ଓପନିଂ ବ୍ୟାଟସମ୍ୟାନ(୩୬)ଙ୍କ ଓ୍ଵିକେଟ୍ ହରାଇଥିଲା। ୮୬ ରନ ସ୍କୋରରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନଙ୍କ ଓ୍ଵିକେଟ୍ ହରାଇଥିଲା। ମୋର୍ଗାନ ୯ ରନ କରି ନିଶାମଙ୍କ ଶିକାର ହୋଇଥିଲେ।
୮୬ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଇଂଲଣ୍ଡର ଇନିଂସକୁ ସମ୍ଭାଳିଥିଲେ ମିଡିଲ ଅର୍ଡର ବ୍ୟାଟସମ୍ୟାନ ବେନ ଷ୍ଟୋକ୍ସ ଓ ଜୋସ୍ ବଟଲର। ଉଭୟ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡ଼ି ଦଳକୁ ସଂକଟରୁ ମୁକ୍ତ କରିବା ସହିତ ବିଜୟ ଆଡକୁ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ୧୯୬ ରନ ସ୍କୋରରେ ଜୋସ୍ ବଟଲର ଆଉଟ୍ ହେବା ମ୍ୟାଚରେ ନୂତନ ମୋଡ଼ ଆଣିଥିଲା। ବଟଲର ୬୦ ବଲରୁ ୬ ଚୌକା ଜରିଆରେ ୫୯ ରନର ଦମଦାର ପାଳି ଖେଳି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଷ୍ଟୋକ୍ସଙ୍କ ସହିତ ପଞ୍ଚମ ଓ୍ଵିକେଟ୍ ପାଇଁ ୧୧୦ ରନ ଯୋଡିଥିଲେ। ଏହା ପରେ ୨୦୩ ରନ ସ୍କୋରରେ କ୍ରିସ୍ ଓ୍ଵକ୍ସ ଫର୍ଗ୍ୟୁସନଙ୍କ ଶିକାର ହୋଇଥିଲେ।
ଏହା ପରେ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ କ୍ରିଜରେ ଜମି ରହିଥିବା ଇନ ଫର୍ମ ବ୍ୟାଟସମ୍ୟାନ ବେନ ଷ୍ଟୋକ୍ସ। ମାତ୍ର ଅନ୍ୟପଟୁ ଓ୍ଵିକେଟ୍ ଖସି ଚାଲିଥିଲା। ଶେଷ ଆଡକୁ ଜିମ ନିଶାନ ଲିୟାମ ପ୍ଲଙ୍କେଟ(୧୦) ଓ ଜୋଫ୍ରା ଆର୍ଚର(୦)ଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ବିଜୟର ନିକଟତର କରାଇଥିଲେ। ମାତ୍ର ବେନ ଷ୍ଟୋକ୍ସ ହାର ମାନିନଥିଲେ। ଶେଷ ପର୍ୟ୍ୟ ନ୍ତ ଲଢିଥିଲେ। ଶେଷ ଓଭରରେ ଦଳକୁ ଦରକାର ଥିଲା ୧୫ ରନ ଏବଂ ହାତରେ ଥିଲା ୨ ଓ୍ଵିକେଟ୍। ଶେଷ ଓଭର ବୋଲିଂ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ପ୍ରଥମ ଦୁଇଟି ବଲ ଡଟ୍ ହୋଇଥିବା ବେଳେ ତୃତୀୟ ବଲରେ ଛକା ମାରିଥିଲେ ଷ୍ଟୋକ୍ସ। ଏହା ପରେ ଚତୁର୍ଥ ବଲ ୨ ରନ ହୋଇଥିଲା ମାତ୍ର ଓଭର ଥ୍ରୋ କାରଣରୁ ଏହି ବଲରେ ଇଂଲଣ୍ଡକୁ ୬ ରନ ମିଳିଥିଲା। ଶେଷ ୨ ବଲରୁ ଇଂଲଣ୍ଡକୁ ୩ ରନ ଦରକାର ଥିଲା। ମାତ୍ର ପଞ୍ଚମ ବଲରେ ରନ ଆଉଟ୍ ହେବାରୁ ଇଂଲଣ୍ଡକୁ ଶେଷ ବଲରେ ୨ ରନ ଜରୁରୀ ଥିଲା। ମାତ୍ର ଶେଷ ବଲରେ ମାର୍କ ଉଡ ଓ ଷ୍ଟୋକ୍ସ ପ୍ରଥମ ରନ ନେଇ ଦ୍ଵିତୀୟ ରନ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଉଡ ରନ ଆଉଟ୍ ହେବାରୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୧ ରନ କରି ଅଲଆଉଟ୍ ହୋଇଥିଲା ଏବଂ ମ୍ୟାଚ ଡ୍ର ହେବା ସହିତ ସୁପର ଓଭର ପର୍ଯ୍ୟନ୍ତ ଯାଇଥିଲା। ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ୮୪ ରନ କରି ଅପରାଜିତ ଥିଲେ। ସୁପର ଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ୧୫ ରନ କରିଥିଲା ମାତ୍ର ମ୍ୟାଚରେ ଅଧିକ ବାଉଣ୍ଡ୍ରି ମାରିଥିବା କାରଣରୁ ଇଂଲଣ୍ଡ ଫାଇନାଲ ମ୍ୟାଚ୍ ଜିତି ବିଶ୍ଵ ଚମ୍ପିଆନ ହୋଇଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ଓ ଜେମ୍ସ ନିସାନ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ନ୍ୟୁଜିଲାଣ୍ଡ ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନଙ୍କୁ ଇଂଲଣ୍ଡର ବୋଲର ନିଜର ଶୃଙ୍ଖଳିତ ବୋଲିଂ ବଳରେ ବାନ୍ଧି ରଖିଥିଲେ। ଦୁଇ ଓପନର ମାର୍ଟିନ ଗୁପଟିଲ ଓ ହେନରି ନିକୋଲାସ ଦଳକୁ ଦୃଢ ଆରମ୍ଭ ଦେବାରେ ପୁଣି ଥରେ ବିଫଳ ହୋଇଥିଲେ। ୨୯ ରନ ସ୍କୋରରେ ମାର୍ଟିନ ଗୁପଟିଲ(୧୯)ଙ୍କୁ ଆଉଟ୍ କରି କ୍ରିସ୍ ଓ୍ଵକ୍ସ ଦଳକୁ ପ୍ରଥମ ସଫଳତା ଦେଇଥିଲେ।
ଏହା ପରେ ଅଧିନାୟକ କେନ ଓ୍ଵିଲିୟମସନ ଓ ହେନରି ଇଂନିସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୪ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ। ମାତ୍ର ୧୦୩ ରନ ସ୍କୋରରେ ଓ୍ଵିଲିୟମସନ ଆଉଟ୍ ହେବା ନ୍ୟୁଜିଲାଣ୍ଡକୁ ଜୋରଦାର ଝଟକା ଲାଗିଥିଲା। ଓ୍ଵିଲିୟମସନ ୩୦ ରନ କରି ପାଭିଲିୟନ ଫେରିଥିଲା।
ଏହା ପରେ ମଧ୍ୟକ୍ରମ ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ୧୧୮ ସ୍କୋରରେ କ୍ରିଜରେ ଜମି ରହିଥିବା ହେନରି ନିକୋଲାସ୍ ଆଉଟ୍ ହୋଇଥିଲେ। ସେ ଅର୍ଦ୍ଧଶତକ ହାସଲ କରି ୭୭ ବଲରୁ ୪ ଚୌକା ଜରିଆରେ ୫୫ ରନ କରିଥିଲେ। ଏହା ପରେ ଦଳ ନିର୍ଭରଯୋଗ୍ୟ ରସ୍ ଟେଲରଙ୍କ ଓ୍ଵିକେଟ୍ ହରାଇଥିଲା। ଟେଲରଙ୍କଠୁ ଦଳ ଫାଇନାଲ ମୁକାବିଲାରେ ବଡ଼ ପାଳିର ଆଶା କରୁଥିଲା। ଟେଲର ୧୫ ରନ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ।
୧୭୩ ରନରେ ଜେମ୍ସ ନିଶାନ(୧୯) ପଞ୍ଚମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଟମ୍ ଲାଥମ ଓ କୋଲିନ ଡି ଗ୍ରାଣ୍ଡହୋମ ଷଷ୍ଠ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡି ଦଳର ସ୍କୋରକୁ ୨୧୯ରେ ପହଞ୍ଚାଇଥିଲେ। ଗ୍ରାଣ୍ଡହୋମ ୧୬ ରନ କରି ବିଦାୟ ନେଇଥିଲେ। ଶେଷ ଆଡକୁ ଟମ୍ ଲାଥମ ୪୭ ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ। ତାଙ୍କର ଏହି ପାଳି ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୪୧ ରନ କରିବାକୁ ସକ୍ଷମ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓ୍ଵକ୍ସ ଓ ଲିୟାମ ପ୍ଲୁଙ୍କେଟ୍ ସଫଳ ବୋଲର ଭାବେ ୩-୩ଟି ଓ୍ଵିକେଟ୍ ନେଇଥିଲେ।

Follow by Email
WhatsApp