ବିଶ୍ୱକପରେ ସଚିନଙ୍କ ୧୬ ବର୍ଷର ରେକର୍ଡ଼ ବଳବତ୍ତର…

ଲଣ୍ଡନ, (ଏନଟିପି ବ୍ୟୁରୋ):
ଗୋଟିଏ ବିଶ୍ୱକପ ସଂସ୍କରଣରେ ସର୍ବାଧିକ ରନ କରିବାରେ ଭାରତର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ହେଉଛନ୍ତି ପ୍ରଥମ । ମାତ୍ର ଚଳିତ ଆଇସିସି ବିଶ୍ଵକପ-୨୦୧୯ରେ ସଚିନଙ୍କ ୧୬ ବର୍ଷର ପୁରୁଣା ରେକର୍ଡ କୌଣସି ଖେଳାଳୀ ଭାଙ୍ଗି ପାରିନଥିଲେ ।

ଫାଇନାଲରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ଏବଂ ଇଂଲଣ୍ଡର ଜୋ ରୁଟ୍ ସଚିନଙ୍କ ରେକର୍ଡ ଭାଙ୍ଗି ପାରିଥାନ୍ତେ। ମାତ୍ର ଉଭୟ ବ୍ୟାଟସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ ଏବଂ ସଚିନଙ୍କ ରେକର୍ଡ ଅତୁଟ ରହିଗଲା। ସଚିନଙ୍କ ନାମରେ ବିଶ୍ଵକପର ଗୋଟିଏ ସଂସ୍କରନରେ ସର୍ବାଧିକ ୬୭୩ ରନ କରିବାର ରେକର୍ଡ ରହିଛି।

ଏହି ରେକର୍ଡ ଭାଙ୍ଗିବା ପାଇଁ ଓ୍ଵିଲିୟମସନଙ୍କୁ ୧୨୬ ରନ ଦରକାର ଥିଲା, ମାତ୍ର ସେ ଐତିହାସିକ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ବିଶ୍ଵକପ ଫାଇନାଲରେ ମାତ୍ର ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ପରି ଓ୍ଵିଲିୟମସନ ଏହି ବିଶ୍ଵକପରେ ୧୦ ମ୍ୟାଚରୁ ୫୭୮ ରନ କରିଛନ୍ତି। ସଚିନ ୨୦୦୩ ବିଶ୍ଵକପରେ ୧୧ଟି ମ୍ୟାଚର ୧୧ଟି ଇନିଂସରୁ ୬୧.୧୮ ହାରରେ ମୋଟ୍ ୬୭୩ ରନ କରିଥିଲେ। ଏଥିରେ ୬ ଅର୍ଦ୍ଧଶତକ ଓ ଏକ ଶତକ ସାମିଲ। ସଚିନଙ୍କ ସର୍ବୋଚ୍ଚ ସ୍କୋର ୧୫୨ ରନ ଥିଲା।

ଓ୍ଵିଲିୟମସନଙ୍କ ବ୍ୟତୀତ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୁଟ ମଧ୍ୟ ଧାଡ଼ିରେ ଥିଲେ। ସେ ଏହି ଉପଲବ୍ଧି ହାସଲ କରିବା ପାଇଁ ୧୨୫ ରନ ଚାହୁଁଥିଲେ। ମାତ୍ ସେ ଫାଇନାଲରେ ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ। ରୁଟ୍ ଚଳିତ ବିଶ୍ଵକପରେ ୫୫୬ ରନ କରିଛନ୍ତି। ସଚିନଙ୍କ ଏହି ବିଶ୍ଵକପ୍ ରେକର୍ଡର ନିକଟତର ଯଦି କୌଣସି ବ୍ୟାଟସମ୍ୟାନ ଥିଲେ ସେ ହେଉଛନ୍ତି ଭାରତର ରୋହିତ ଶର୍ମା। ରୋହିତ ଚଳିତ ବିଶ୍ଵକପରେ ସବୁଠୁ ଅଧିକ ୬୪୮ ରନ କରିଛନ୍ତି। ରୋହିତଙ୍କ ପରେ ଏକ ରନ ପଛରେ ରହିଛନ୍ତି ଅଷ୍ଟ୍ରେଲିଆର ଡେଭିଡ ଓ୍ଵାର୍ଣ୍ଣର(୬୪୭) ।

Follow by Email
WhatsApp