ଆସନ୍ତା କାଲି ଭାରତ ସହ ଶ୍ରୀଲଙ୍କା ଟି ୨୦…

ନୂତନ ବର୍ଷର ପ୍ରଥମ ମ୍ୟାଚ

ଗୌହାଟୀ,(ଏନଟିପି ବ୍ୟୁରୋ):

ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ସିରିଜ ୨୦୨୦ ଅଭିଯାନ ଆରମ୍ଭ କରିବ। ରବିବାର ବରସାପରା କ୍ରିକେଟ୍ ଷ୍ଟାଡିୟମରେ ତିନି ମ୍ୟାଚ୍  ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଦଳର ପ୍ରମୁଖ ଖେଳାଳି ଶିଖର ଧାଓ୍ଵନ ଓ ଯଶପ୍ରୀତ ବୁମରାଙ୍କ ଉପରେ ନଜରରହିବ। ଏହି ଦୁଇ ଖେଳାଳି ଆଘାତ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ  ଜିତିବା ପରେ ଦଳ କିଛି ଦିନ ବିରତି ନେଇଥିଲା। ଏବେ ଦଳ ନୂତନ ବର୍ଷର ଆରମ୍ଭ ବିଜୟରୁ କରିବାକୁ ଚାହିଁବ। ଶ୍ରୀଲଙ୍କାର ସଂପ୍ରତି ଦଳକୁ ଦେଖିଲେ ଏଥିରେ ଭାରତର ପଲ୍ଲା ଭାରି ରହିଛି। ମାତ୍ର ଟି-୨୦ ଖେଳର ଏହି ଛୋଟ ଫର୍ମାଟରେ କୌଣସି ବି ଦଳ କୌଣସି  ବି ପରିସ୍ଥିତିରେ ହରାଇବାର କ୍ଷମତା ରଖିଥାନ୍ତି। 

ଧାଓ୍ଵନ ଆଘାତ କାରଣରୁ ଦଳରୁ ବାହାରେ ଥିଲେ। ସେ ରଣଜୀ ଟ୍ରଫିରେ ଶତକ ଅର୍ଜନ କରି ନିଜର ଫିଟନେସ୍ ସାବ୍ୟସ୍ତ କରିଛନ୍ତି। ଏବେ ପ୍ରଶ୍ନ ଏହା ଯେ, ଧାଓ୍ଵନ କଣ ଅନ୍ତରାଷ୍ଟ୍ରୀୟସ୍ତରରେ ଏହି ଫର୍ମକୁ  ଜାରି ରଖି ପାରିବେ ତ ? ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ ଥିବାରୁ ଓପନର ଭାବେ ଧାଓ୍ଵନଙ୍କ ଦାୟିତ୍ଵ ଅଧିକ ରହିଛି। ସେ  କେଏଲ ରାହୁଲଙ୍କ ସହ ଦଳର ଇନିଂସ ଆରମ୍ଭ କରିବେ।

ଅନ୍ୟପଟେ ବ୍ୟାଟସମ୍ୟାନ ଲୋକେଶ ରାହୁଲଙ୍କ ପାଇଁ ମଧ୍ୟ ଦଳରେ ପୁଣି ଥରେ ନିଜର ଉପଲବ୍ଧିକୁ ସାବ୍ୟସ୍ତ କରିବାର ଆଉ ଏକ ସୁଯୋଗ ମିଳିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଡାହାଣହାତୀ ବ୍ୟାଟସମ୍ୟାନ ରୋହିତଙ୍କ ସହ ମିଶି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଧାଓ୍ଵନଙ୍କ ସହିତ ତାଙ୍କୁ ନିଜର ଏହ ଫର୍ମ  ଜାରି ରଖିବାକୁ ପଡ଼ିବ। ଏହା ସହିତ ବ୍ୟକ୍ତିଗତ ଭାବେ ଦଳର ତୃତୀୟ ଓପନର ଭାବେ ନିଜର ଦାବିଦାର ଆହୁରି ମଜବୁତ କରିବାକୁ ପଡ଼ିବ। 

ଅନ୍ୟପଟେ ଯଶପ୍ରୀତ ବୁମରା ଗତ ବର୍ଷ  ଜୁଲାଇରେ ଇଣ୍ଡିଜ ଗସ୍ତରେ ଆହତ ହୋଇଥିଲେ। ଏହା ପରଠୁ ଏହା ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା। ବୁମରାଙ୍କ ପାଇଁ ଏହି ସିରିଜ ପରୀକ୍ଷା ସଦୃଶ। କାରଣ ଏହା ପରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଖେଳିବା ସହିତ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହା ବ୍ୟତୀତ ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁରଙ୍କ ପାଖରେ ଦଳରେ ବ୍ୟାକଅପ ବୋଲର ଭାବେ ସାବ୍ୟସ୍ତ କରିବାର ସୁଯୋଗ ରହିଛି। 

ଦେଖିବା ବାକି ରହିଲା ଯେ କଣ ସଞ୍ଜୁ ସାମସନ ଡ୍ରେସିଂ ରୁମରେ ବସିବେ ନା ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦିଆଯିବ। 

ଅନ୍ୟପଟେ ଶ୍ରୀଲଙ୍କା ପାଇଁ ସଂପ୍ରତି ସମୟରେ ସମସ୍ତ ଶୃଙ୍ଖଳା କଡ଼ା ପରୀକ୍ଷା ସଦୃଶ ହୋଇଛି। ଅଧିନାୟକ ଲସିଥ ମାଲିଙ୍ଗାଙ୍କ ନେତୃତ୍ଵରେ ଭାରତ ଗସ୍ତ କରିଥିବା ଶ୍ରୀଲଙ୍କା ଦଳରେ ଅନୁଭବୀ ଆଞ୍ଜେଲା ମାଥ୍ୟୁସଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଦଳ ପାଖରେ ନିରୋସେନ ଡିକଓ୍ଵାଲେ, କୁସଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭାଙ୍କ ପରି କିଛି ପ୍ରତିଭାବାନ ଖେଳାଳି ଅଛନ୍ତି, ମାତ୍ର ଏହି ଖେଳାଳି କଣ ଭାରତୀୟ ମାଟିରେ ଶ୍ରୀଲଙ୍କାର ଖରାପ ଇତିହାସକୁ ବଦଳାଇବାକୁ ସଫଳ ହୋଇ ପାରିବେ। ମୋଟ୍ ଉପରେ ଉଭୟ ଦଳ ନୂତନ ବର୍ଷର ଆରମ୍ଭ ବିଜୟ ସହିତ କରିବାକୁ ଚାହିଁବେ। 

ସମ୍ଭାବିତ ଦଳ 

ଭାରତ- ବିରାଟ କୋହଲି(ଅଧିନାୟକ), ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ଶିଖର ଧାଓ୍ଵନ, ଶିବମ ଦୁବେ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଲୋକେଶ ରାହୁଲ, ନବଦୀପ ସାଇନି, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ଓ୍ଵାଂଶିଟନ ସୁନ୍ଦର। 

ଶ୍ରୀଲଙ୍କା- ଲସିଥ ମାଲିଙ୍ଗା(ଅଧିନାୟକ), ଧନଞ୍ଜୟ ଡି ସିଲଭା, ଓ୍ଵାନିନ୍ଦୁ ହସାରଙ୍ଗା, ନିରୋସେନ ଡିକଓ୍ଵାଲେ(ଓ୍ଵିକେଟ୍ କିପର), ଓସାଡା ଫର୍ଣ୍ଣାଡୋ, ଦାନୁଷ୍କା ଗୁଣାଥିଲକା, ଲାହିରୁ କୁମାରା, ଆଞ୍ଜେଲୋ ମାଥ୍ୟୁସ୍, କୁସଲ ମେଣ୍ଡିସ୍, କୁଶଲ ପେରେରା, ଭାନୁକା ରାଜାପାକ୍ଷେ, କାସୁନ ରାଜିଥା, ଲକ୍ଷ୍ମଣ ସନ୍ଦକାନା, ଦାସୁନ ଶନକା, ଇସୁରୁ ଉଦାନା।

Follow by Email
WhatsApp