ମୋଦି ସରକାର କଣ ନେଲେ ନିଷ୍ପତି କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛାତ୍ରବୃତ୍ତି ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ ଫଣ୍ଡ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବୃତ୍ତି ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆତଙ୍କବାଦୀ ଓ ମାଓବାଦୀ ଆକ୍ରମଣରେ ସହିଦଙ୍କ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଅର୍ଥରାଶିକୁ ବୃଦ୍ଧି କରାଯାଇଛି। ଛାତ୍ରମାନଙ୍କ ପାଇଁ ବୃତ୍ତି ରାଶିକୁ ୨୦୦୦ରୁ ୨୫ ଶହ ଓ ଛାତ୍ରୀମାନଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବୈଠକରେ ଏନଡିଏ ୨ ସରକାରର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ।

ଅନ୍ୟପଟେ ମୋଦିଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ, ପୁଣି ସେହି ବିଭାଗକୁ ଫେରିଛନ୍ତି। ଦ୍ୱିତୀୟ ଥର ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର। ପ୍ରଥମ ପାଳିର ଦକ୍ଷତା ଦେଖି ତାଙ୍କୁ ପୁଣି ସେହି ବିଭାଗ ମିଳିଥିବା କୁହାଯାଉଛି। ପ୍ରଥମ ପାଳିରେ ଧର୍ମେନ୍ଦ୍ର ହାତରେ ଦକ୍ଷତା ବିକାଶର ଅତିରିକ୍ତ ମନ୍ତ୍ରାଳୟ ମିଳିଥିଲା। ଏଥର କିନ୍ତୁ ଦକ୍ଷତା ବିକାଶ ବଦଳରେ ତାଙ୍କୁ ଷ୍ଟିଲ ମନ୍ତ୍ରୀ କରାଯାଇଛି। ଅର୍ଥାତ ଧର୍ମେନ୍ଦ୍ର ଷ୍ଟିଲ ଓ ପେଟ୍ରୋଲିୟ ଦୁଇଟି ବିଭାଗର ମନ୍ତ୍ରୀ। ଦେଶ ଓ ଦେଶବାସୀଙ୍କ ବିକାଶ ଓ ପ୍ରଗତି ଦିଗରେ ପ୍ରଧାନମନ୍ତ୍ରୀଙ୍କ ଭିଜନ୍‌କୁ ପୂରା କରିବା ଦିଗରେ କାମ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଏମ୍‌ଏସ୍‌ଏମଇ ଓ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ମିଳିଛି। ସାଧାରଣ ଜୀବନ ବଞ୍ଚୁଥିବା ପ୍ରତାପଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଆଲୋଚନା ହେଉଛି। ଏବେ ଏମ୍‌ଏସ୍‌ଏମ୍‌ଇ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ନିତୀନ ଗଡ଼କରୀ ଓ ପଶୁ ଓ ମତ୍ସ୍ୟସମ୍ପଦର କ୍ୟାବିନେଟ ମନ୍ତ୍ରୀ ଥିବା ଗିରିରାଜ ସିଂହଙ୍କ ସହ ମିଶି କାମ କରିବେ ପ୍ରତାପ ଷଡ଼ଙ୍ଗୀ। ମୋଦିଙ୍କ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ରକୁ ପାଥେୟ କରି କାମ କରିବେ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ମୋଦି ସରକାର ପ୍ରଥମ ପାଳିରେ ଧର୍ମେନ୍ଦ୍ରଙ୍କ ସହ ଓଡ଼ିଶାରୁ ମନ୍ତ୍ରୀ ଥିଲେ ଜୁଏଲ୍‌ ଓରାମ୍‌। ଆଦିବାସୀ ବ୍ୟାପାର ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିବା ଜୁଏଲ୍‌ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦିବାସୀ ବ୍ୟାପର ମନ୍ତ୍ରୀ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା।

Follow by Email
WhatsApp