ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେପୁର ପାଇଁ ୧୧୨୦ କୋଟିର ଦୁଇଟି ଜଳଯୋଗାଣ ପ୍ରକଳ୍ପ, ୩୪ ହଜାର କଚ୍ଚା ଘରକୁ ପକ୍କାଘର ଏବଂ ଦୁଇ ବର୍ଷ ମଧ୍ୟରେ ବିଜେପୁରର ସମସ୍ତ ଘରକୁ ପାଇପ୍ ଯୋଗେ ପାଣ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାରି ଭିତରେ କେଉଁ ହିଞ୍ଜଳି ଆସନ ଛାଡିବେ ନା’ ବିଜେପୁର ଛାଡିବେ ତାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆଗକୁ ବିଜେପୁରରେ ଉପନିର୍ବାଚନ ହୋଇପାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି । ଅନ୍ୟପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ବିଜେପୁର ସମେତ ପଶ୍ଚିମ ଓଡିଶାର ବିକାଶ ହେଉ ବୋଲି ଲୋକେ ଚାହୁଁଥିଲେ । ଯାହାକୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରୁଥିବା କହିଛନ୍ତି ସୁଶାନ୍ତ ।

ଆଉ ଏସବୁ ଭିତରେ ବିଧାନସଭାରେ ବିଧାୟକମାନଙ୍କ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । କିନ୍ତୁ ହେଉଥିବା ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେବଳ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି । ଯାହା ବିଜେପୁର ଆସନ ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

Follow by Email
WhatsApp