ବିଜେପିରେ ମିଶିଲେ ଦାମୋଦର ରାଉତ

ନୂଆଦିଲ୍ଲୀ/ଭୁବନେଶ୍ୱର :

ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । ବୈଜୟନ୍ତ ପଣ୍ଡାଙ୍କ ରାସ୍ତାରେ ଯାଇଛନ୍ତି ଡାକ୍ତର ଦାମୋଦର ରାଉତ । ବୈଜୟନ୍ତଙ୍କ ଭଳି ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ରାତି ୮ଟାରେ ଦାମ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଥିଲେ । ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।ଗତ କିଛିଦିନ ଧରି ଦାମ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ଏନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏମିତିକି ଦଳ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ତେବେ ହଠାତ ଦାମ ନିଷ୍ପତି ଅମୀମାଂସିତ ରହିଲା ବୋଲି କହିବା ସହ କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ରହିଥିବା କହିଥିଲେ । ଅପରପକ୍ଷରେ ଦାମ ଯେଭଳି ବିଜେପିକୁ ନଯିବେ ସେଥିପାଇଁ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଟିକେଟ ଦେବା ନେଇ ବିଜେଡ଼ି ନେତାମାନେ ଥୋପ ଦେଇଥିଲେ । ଗୁରୁବାର ନବୀନ ନିବାସରେ ମଧ୍ୟ ସମ୍ବିତଙ୍କୁ ଦେଖିବାକୁ ମିଳିଥିଲା । ଫଳରେ ଦାମ ବିଜେପିରେ ଯୋଗଦେବେ କି ନାହିଁ ସେନେଇ ଆଶା ଆଶଙ୍କା ପ୍ରକାଶ ପାଇଥିଲା । ଯଦି ଦାମଙ୍କ ପୁଅ ବିଜେଡ଼ି ଟିକେଟରେ ପାରାଦୀପରୁ ଲଢ଼ନ୍ତି ତେବେ ଦାମ ବାଲିକୁଦାରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।ସୂଚନାଯୋଗ୍ୟଯେ, ଗତବର୍ଷ ସେପ୍ଟେମ୍ବରରେ ଡାକ୍ତର ରାଉତଙ୍କୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ଡାକ୍ତର ରାଉତ ନୂତନ ଆଂଚଳିକ ଦଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏମିତିକି ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ ବୋଲି ସୂଚନା ଦେଇଥିଲେ । ହେଲେ ପରବର୍ତୀ ସମୟରେ ଦାମଙ୍କ ଏହି ଉଦ୍ୟମ ଫସର ଫାଟିଯାଇଥିଲା । ସେହିପରି କଂଗ୍ରେସ ସହ ମଧ୍ୟ ଦାମ ଯୋଗସୂତ୍ରରେ ରହିଥିଲେ । ତେବେ ବୈଜୟନ୍ତ ବିଜେପିରେ ମିଶିବା ପରେ ଦାମ ବିଜେପି ଆଡକୁ ଢଳିଥିଲେ ।
Follow by Email
WhatsApp