ମହିଳାଙ୍କ ମୁହଁରେ ହସ ଫୁଟାଇଛି ଉଜ୍ଜ୍ଵଳା

ନୂଆଦିଲ୍ଲୀ :(ଏନଟିପି):

ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା ମହିଳାଙ୍କ ମୁହଁରେ ଖୁସି ଆଣିଛି।ଉଜ୍ଜ୍ବଳା ଯୋଜନାରେ ମହିଳାଙ୍କୁ ପ୍ରଦୂଷଣ ରହିତ ଜୀବନ ଦେବା ସାଙ୍ଗକୁ ସମ୍ମାନ ଓ ସ୍ବାଭିମାନ ସହ ରୋଜଗାରକ୍ଷମ କରାଇଛି । ଏହା ଛଡା ମହିଳାଙ୍କ ମୁହଁରେ ହସ ଫୁଟେଇ ଜୀବନର ପ୍ରାଣୋଚ୍ଛଳ ସଙ୍ଗୀତ ଗାଇବାର ସୁଯୋଗ ଆଣିଦେଇଛି।କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଉଜ୍ଜ୍ୱଳା ଏକ ସଫଳତମ ଯୋଜନା ବୋଲି କେନ୍ଦ୍ର ପାନୀୟ ଜଳ ତଥା ପରିମଳ ମନ୍ତ୍ରୀ ଉମା ଭାରତୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେଶର ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟର ୩୦ ଜିଲାରେ ସୋମବାର ଅନୁଷ୍ଠିତ ହୋଇଥିବା ଉଜ୍ଜ୍ୱଳା ସ୍ବାଭିମାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉମା ଭାରତୀ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଯୋଗେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ପହଂଚିସାରିଛି । 2014 ମେ ରେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ରୁ ୨୦ ଜଣଙ୍କ ଘରେ ଏଲପିଜି ସଂଯୋଗ ଥିଲା । ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି । ସେ ହିତାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଏହି ଯୋଜନାରେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ସାମଗ୍ରିକ ଭାବେ ପ୍ରାସଙ୍ଗିକ ବାର୍ତ୍ତା ଏବଂ ଭିଡ଼ିଓ କନ୍ଫରେନ୍ସିଙ୍ଗ ମାଧ୍ୟମରେ ଜିଲ୍ଲାଗୁଡ଼ିକର ପ୍ରତି କ୍ଷେତ୍ରରେ ଉଜ୍ଜ୍ୱଳା ରଥ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏଲ୍‌ପିଜିର ସୁରକ୍ଷିତ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ହିତାଧିକାରୀମାନେ କାର୍ଯ୍ୟକ୍ରମରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ। ଏଲ୍‌ପିଜି ସଂଯୋଗ ଧାରା ସମ୍ପର୍କରେ ଲୋକଙ୍କୁ ଜଣାଇବା ଲାଗି କାର୍ଯ୍ୟକ୍ରମ ଅବସରରେ ଷ୍ଟଲ ସ୍ଥାପନା କରାଯାଇଥିଲା। ଏଥିରେ ରାଜ୍ୟର ୫୦ ହଜାର ହିତାଧିକାରୀ ସାମିଲ ହୋଇଥିଲେ। ଆଜି ଉଜ୍ଜ୍ବଳା ସ୍ୱାଭିମାନ ଉତ୍ସବରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ବାଲିପାଳର ଭଊଣୀ ଅନିମାରାଣୀ ରାଉତ ଉଜ୍ଜ୍ବଳା ଉପରେ ନିଜେ ପ୍ରସ୍ତୁତ କରିଥିବା ଗୀତକୁ ସମସ୍ତଙ୍କ ସାମ୍ନାରେ ପରିବେଷଣ କଲେ । ତାଙ୍କର ଏହି ଗୀତ ଉଜ୍ଜ୍ଵଳା ଯୋଜନାର ବାର୍ତ୍ତାଳାପ କାର୍ଯ୍ୟକ୍ରମକୁ ପ୍ରସାର କରେଇବାରେ ସହାୟକ ହେବ ।

Follow by Email
WhatsApp