ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ମହୋତ୍ସବ

ଏନ ଟି ପି (ବରଗଡ଼)ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସ୍ଥାନୀୟ ହାଟପଦା ରାଜଦରବାର ମଞ୍ଚରେ ସନ୍ଧ୍ୟା ୭ଟାରେ ଉଦ୍‌ଘାଟିତ ହେବ । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟନ ପରେ ୧୧ଦିନ ବ୍ୟାପୀ ବରଗଡ଼ ମଥୁରା ନଗରୀ ଓ ଅମ୍ବାପାଲି ଗୋପପୁର ପାଲଟିବ । ଆଉ ବରଗଡ଼ ଓ ଅମ୍ବାପାଲି ମଝିରେ ବହି ଯାଇଥିବା ଜୀରା ନଦୀ ହେବ ଯମୁନା। ପରମ୍ପରା ଦୃଷ୍ଟିରୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ, ଏମ୍‌ପି ଡ. ପ୍ରଭାସ ସିଂ ଏବଂ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିବେ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି । ସେହିପରି ଅପରାହ୍ନ ୧ଟାରୁ ସ୍ଥାନୀୟ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ସମଲେଶ୍ୱରୀ ମନ୍ଦିର ଅଭିମୁଖେ ବାହାରିବ । ନବବର୍ଷରେ ପଦାର୍ପଣ କରିଥିବା ୭୦ତମ ଧନୁଯାତ୍ରା ମହୋତ୍ସବରେ ସବୁଦିଗରୁ ନୂତନତା ଅଣାଯିବାକୁ ଉଦ୍ୟମ କରାଯାଇ ଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ସୋପାନରେ ପହଞ୍ଚିଛି । ମହାରାଜା କଂସ ଓ ତାଙ୍କ ପାତ୍ରମନ୍ତ୍ରୀଙ୍କ ପାଇଁ ହାତୀ, ଓଟ, ଘୋଡ଼ା ମାହୁନ୍ତ ସହିତ ପହଞ୍ଚି ସାରିଛନ୍ତି । ଆକର୍ଷଣୀୟ ତୋରଣ, ଆଲୋକମାଳାରେ ସହର ଚଳଚଞ୍ଚଳ ହୋଇ ପଡ଼ିଲାଣି । ଅମ୍ବାପାଲି(ଗୋପପୁର)ର ଘରେ ଘରେ କାନ୍ଥରେ କୃଷ୍ଣଲୀଳା ଚିତ୍ର ଅଙ୍କାଯାଇଛି । ଏହା ସହିତ ଘର ଲିପାପୋଛା ଜୋର୍‌ସୋର୍‌ରେ ଚାଲିଥିବାବେଳେ ଧନୁଯାତ୍ରା ଦେଖିବା ପାଇଁ ବନ୍ଧୁ, ପରିଜନ ମଧ୍ୟ ଉଭୟ ବରଗଡ଼ ଓ ଅମ୍ବାପାଲିକୁ ଆସିଲେଣି । ଧନୁଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି । ଧନୁଯାତ୍ରା ପାଇଁ ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁଙ୍କ ତତ୍ତ୍ବାବଧାନରେ ୨ଜଣ ଅତିରିକ୍ତ ଏସ୍‌ପି, ୮ଜଣ ଡିଏସ୍‌ପି, ୧୪ଜଣ ଇନ୍ସପେକ୍ଟର, ୩୫ଜଣ ଏସ୍‌ଆଇ, ୫୬ଜଣ ଏଏସ୍‌ଆଇ, ୨୨ଜଣ ହାବିଲଦାର, ୧୨୮ଜଣ କନଷ୍ଟେବଳ, ୨୦୦ଜଣ ହୋମଗାର୍ଡ଼ ଏବଂ ୪୦ସେକ୍ସନ ଫୋର୍ସ ମୁତୟନ କରାଯିବା ବ୍ୟବସ୍ଥା ହୋଇଥିବା ଏସ୍‌ଡ଼ିପିଓ ସୁରେଶ କୁମାର ନାଏକ ସୂଚନା ଦେଇଛନ୍ତି ।

Follow by Email
WhatsApp