କେମିତି ହେଲା ନିକିତାଙ୍କ ମୃତ୍ୟୁ…

ଓଡ଼ିଆ ଫିଲ୍ମ ଜଗତର ଅଭିନେତ୍ରୀ ନିକିତା ମହାନ୍ତିଙ୍କ ମୃତ୍ୟୁ କେମିତୁ ହେଲା।ସନ୍ଦେହ ଘେରରେ ମୃତ୍ୟୁ।ଓଡିଆ ଫିଲ୍ମ ଜଗତର ଆଗଧାଡିର ଅଭିନେତ୍ରୀ ନିକିତା ଆଉ ନାହାନ୍ତି । ଏସିପି ନିକିତା ଭୂମିକାରେ ଅଭିନୟ କରି ନୂଆ ପରିଚୟ ପାଇଥିବା ଏହି ଅଭିନେତ୍ରୀଙ୍କର ଗତକାଲି ମୃତ୍ୟୁ ହୋଇଛି । ଛାତରୁ ପଡିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ଏବଂ କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ଏବେ ରହସ୍ୟ ଲାଗିରହିଛି । ପରିବାରଲୋକେ କିଛି ମୁହଁ ଖୋଲୁନଥିବା ବେଳେ ନିକିତାଙ୍କ ମୃତ୍ୟୁ ପଛରେ ଆଉ କଣ କାରଣ ହୋଇପାରେ ସେ ନେଇ ଚାଲିଛି ଖୋଳତାଡ ।

ଓଡିଶାର ଘରେ ଘରେ ପରିଚିତ ଏସିପି ନିକିତାଙ୍କ ଆକ୍ସନ ଆଉ ଦେଖିବାକୁ ମିଳିବନି । ଦେଖିବାକୁ ମିଳିବନି ତାଙ୍କର ଜୀବନ୍ତ ଅଭିନୟ । ସଂଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ମହାନଦୀ  ବିହାରସ୍ଥିତ ନିଜଘରେ ପ୍ରାଣ ହରାଇଛନ୍ତି ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା । ସୂଚନା ଅନୁସାରେ ନିକିତା ଛାତ ଉପରକୁ ତଳକୁ ଖସି ପଡିଥିଲେ । ହେଲେ କିପରି ଏହି ଅଘଟଣ ଘଟିଥିଲା ସେନେଇ ସଂଦେହ ଉପୁଜିଛି । ତାଙ୍କ ମୁଣ୍ଡରେ ଏବଂ ଦେହରେ ଗଭୀର ଆଘାତ ଲାଗିଥିଲା । ନିକିତାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅପରେସନ କରାଯାଇଥିଲେ ବି  ନିକିତାଙ୍କୁ ବଂଚାଇ ପାରିନଥିଲେ ଡାକ୍ତର । ନିକିତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ଏବେ ପ୍ରଶ୍ନ ଉଠୁଛି ନିକିତା ଆତ୍ମହତ୍ୟା କରିଛନ୍ତି ନା ଘଟିଥିଲା ଦୁର୍ଘଟଣା?

୧. କେମିତି ଛାତ ଉପରୁ ଖସିପଡିଲେ ନିକିତା?

୨. ଅଘଟଣ ପଛରେ ରହିଛି କି ଆଉ କାହାର ହାତ?

୩. କାହା ସହିତ ନିକିତାଙ୍କ ପୂର୍ବଶତ୍ରୁତା ଥିଲା କି?

୪. ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସଂପର୍କ ଥିଲା କିପରି?

୫. ପାରିବାରିକ ଝଗଡା କାରଣ ନୁହେଁ ତ?

ପରିବାରଲୋକେ ଗଣମାଧ୍ୟମ ଆଗରେ କିଛି ବି ମୁହଁ ଖୋଲୁନଥିବା ବେଳେ ଏବେ ଏମିତି କିଛି ପ୍ରଶ୍ନର ଉତର ଖୋଜା ଚାଲିଛି । ତେବେ ମର୍କତ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅପେକ୍ଷା ରହିଛି ପୋଷ୍ଟମର୍ଟମ ରିପୋର୍ଟକୁ ।

ଟିଭି ଧାରାବାହିକରେ ଏସିପି ନିକିତା ଭୂମିକାରେ ଅଭିନୟ କରି ସାରା ଓଡିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନିକିତା । ଖାଲି ସେତିକି ନୁହେଁ  ନିର୍ଦ୍ଦେଶକ ସଂଜୟ ନାୟକଙ୍କ ତୁ ମୋ ଆଖିର ତାରା ଫିଲ୍ମରେ ତାଙ୍କୁ ମିଳିଥିଲା ବ୍ରେକ । ପରେ ପରେ ସଞ୍ଜୟ ନାୟକଙ୍କ ମିତ ବସିଛି ଭୂତ ସାଥିରେ, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଚୋରି ଚୋରି, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ମଥାରେ ଦେଇ ପାଟ ଓଢଣୀ ଏବଂ ଶୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ଗୁଣ୍ଡା ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଚମକ୍ରାର ଅଭିନୟ ଦେଖିବାକୁ ମିଳିଥିଲା ।

Follow by Email
WhatsApp