ଅନୁଗୋଳ,୨୧।୧୨: ଅନୁଗୋଳ ଜିଲା ପାଇଁ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ପରିଷଦ ଓଡ଼ିଶାର ଅତିରିକ୍ତ ସଚିବ ସରୋଜ କୁମାର ସାହୁ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଗ୍ରସ୍ତ କରିଛନ୍ତି। ଏହି ଅବସରରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଥିଲା।
ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାରେ ନୂତନ ଭାବେ ଯୁବ ଭୋଟର ମାନଙ୍କୁ ସଂଯୋଗ କରିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶ ରହିଛି। ଏନେଇ ଜିଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଗୁଡିକରେ ଭୋଟର ତାଲିକା କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷ ଏଯାବତ ଜିଲାରେ ୨୧,୭୨୩ ଜଣ ଯୁବ ଭୋଟରଙ୍କ ନାମ ପଞ୍ଜିକରଣ କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ୧୭ବର୍ଷରୁ ଅଧିକ ଯୁବ ଭୋଟର ମାନଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ତାଲିକା ଭୁକ୍ତ ହେବା ପାଇଁ ଆବେଦନ କରି ପାରିଛନ୍ତି। ପରବର୍ତ୍ତୀ ସମୟରେ ୦୧/୦୧/୨୦୨୩, ୦୧/୦୪,୨୦୨୩, ୦୧/୦୭/୨୦୨୩, ୦୧/୧୦/୨୦୨୩ କୁ ପର୍ଯ୍ୟାୟ କ୍ରମେ ୧୮ବର୍ଷ ପୂରଣ ହେଉଥିବା ଯୁବ ଭୋଟରଙ୍କ ନାମ ଭୋଟର ତାଲିକା ଭୁକ୍ତ ହୋଇପାରିବ।
ଜିଲାର ଅନୁଗୋଳ ସମେତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ସଚେତନତା କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିବାରୁ ଅଧିକ ଯୁବ ଭୋଟର ତାଲିକା ଭୁକ୍ତ ହୋଇପାରିଛନ୍ତି। ଏଥି ସହ ଆଧାର ସହ ଭୋଟର ସଂଯୋଗୀକରଣ କାର୍ଯ୍ୟକ୍ରମରେ ମଧ୍ୟ ଜିଲା ସଫଳତା ହାସଲ କରିଛି। ସମସ୍ତ କାର୍ଯ୍ୟ ସମୀକ୍ଷା ପରେ ଅତିରିକ୍ତ ସଚିବ ରାଜସ୍ୱ ପରିଷଦ ସରୋଜ କୁମାର ସାହୁ ସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି କୌଣସି ଯୁବ ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡନ୍ତି ସେଥି ପ୍ରତି ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅଧିକରୁ ଅଧିକ ଯୁବ ଭୋଟରଙ୍କୁ ଭୋଟର ତାଲିକା ଭୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ।
ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ୱାଇଁ , ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ, ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ଡେପୁଟି କଲେକ୍ଟର ନିର୍ବାଚନ ମନୀଷା ଗୁପ୍ତା, ସମସ୍ତ ଏ.ଇ.ଆର.ତଥା ବିଡ଼ିଓ,ତହସିଲଦାର ଓ ଆସିଷ୍ଟାଣ୍ଡ କଲେକ୍ଟର ନିର୍ବାଚନଙ୍କ ସମେତ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ନିର୍ବାଚନ ମଣ୍ଡଳୀର ସହାୟକ ମାନେ ଉପସ୍ଥିତ ରହିଥିଲେ।