ଧାନମଣ୍ଡି ସମସ୍ୟା, ଏମଏସପି ଓ କଟନି-ଛଟନିର ସମାଧାନ କରନ୍ତୁ ରାଜ୍ୟ ସରକାର: ବିଜେପି

କୃଷକଙ୍କୁ ନ୍ୟାୟ ପାଇଁ ପ୍ରତ୍ୟେକ ସବଡିଭିଜନରେ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ

 ଆସନ୍ତାକାଲିଠୁ ମଣ୍ଡି ପରିଦର୍ଶନ କରିବେ ବିଜେପି କାର୍ଯ୍ୟକର୍ତା
 ଆସନ୍ତା ୨୪ ଓ ୨୫ରେ ମଣ୍ଡିଚାଲ ଅଭିଯାନରେ ସାମିଲ ହେବେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାଜକୁମାର ଚହର୍‌

ଭୁବନେଶ୍ୱର, ତା.୨୧/୧୨: ଚାଷୀଙ୍କୁ ନ୍ୟାୟ ଦେବା ଦାବିରେ ଆଜି ରାଜ୍ୟର ସବ୍‌ଡିଭିଜନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଏବଂ ଉପଜିଲ୍ଲାପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଧାନମଣ୍ଡି ଖୋଲିଛନ୍ତି ବୋଲି ମିଥ୍ୟା ଚିତ୍କାର କରୁଛନ୍ତି କିନ୍ତୁ ବାସ୍ତବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଂଚଳରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଯାଇଥିଲେ ବି ଧାନମଣ୍ଡି ଖୋଲା ଯାଇନାହିଁ । ଚାଷୀମାନଙ୍କ ଲାଗି ପଶ୍ଚିମଓଡ଼ିଶା ଅଂଚଳରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର କୁପରିଚାଳନା ଓ ବିଶୃଙ୍ଖଳା କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ନଦାତାଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ହତାଦାର ଓ ଅନ୍ୟାୟ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉପଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବା ସହ ୨୨ରୁ ୨୮ ତାରିଖ ଆଗାମୀ ୭ଦିନ ଧରି ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମରେ ଧାନମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ ।
ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ ମଣ୍ଡି ଖୋଲିବା, ମଣ୍ଡିର ପରିଚାଳନାଗତ ତ୍ରୁଟି ସଜାଡିବା, କୃଷକ ରେଜିଷ୍ଟ୍ରେସନରେ ଅନିୟମତିତା ଓ ପାତର ଅନ୍ତର ନୀତି ବନ୍ଦ କରିବା, ସେଂଟ୍ରାଲ ଟୋକନ ନାଁରେ ଭ୍ରଷ୍ଟାଚାର ବନ୍ଦ କରିବା, କଟନୀ-ଛଟନୀ ବନ୍ଦ କରିବା, ଚାଷୀ ମୁଣ୍ଡ ପିଛା ସର୍ବାଧିକ ୬୦କ୍ୱିଂଟାଲ ଧାନବିକ୍ରି କରିବା ନିଷ୍ପତିକୁ ରଦ୍ଦ କରି ବିକ୍ରି ସୀମାକୁ ବୃୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏମ୍‌ଏସପି ଚାଷୀଙ୍କୁ ପ୍ରଦାନ ଏବଂ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ ତୁରନ୍ତ ପ୍ରଦାନ କରନ୍ତୁ ସମେତ ୧୦ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଘେରିଥିଲା ବିଜେପି । ଉପଜିଲ୍ଲାପାଳମାନଙ୍କ ମାଧ୍ୟମରେ ୭ଦିନର ମହଲତ ଦେଇ ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ କୃଷକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବ ବିଜେପି ।
ଧାନର ଏମ୍‌ଏସପି ପ୍ରଦାନରେ ରାଜ୍ୟ ସରକାରଙ୍କ ଚଂଚକତା କାରଣୁ ଓଡ଼ିଶାର ଚାଷୀ ଶୋଷଣର ଶିକାର ହେଉଛନ୍ତି । ଏମଏସ୍‌ପି ଓ ଧାନମଣ୍ଡିର ସସମ୍ୟା ତର୍ଜମା କରିବା ପାଇଁ ବିଜେପି କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଚହର୍ ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି । ବିଭିନ୍ନ ଅଂଚଳ ଗସ୍ତ କରିବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କିଷାନ ମୋର୍ଚ୍ଚାର ପରିବର୍ଦ୍ଧିତ ବୈଠକରେ ଯୋଗ ଦେଇ ଓଡ଼ିଶାରେ ଚାଲିଥିବା ଧାନମଣ୍ଡି ଅବ୍ୟବସ୍ଥା, ଏମ୍‌ଏସପି, ଚାଷୀଙ୍କୁ ଶୋଷଣ, ଜୈବିକ କୃଷିକୁ ପ୍ରୋତ୍ସାହନ, ସର୍ବପରି କୃଷକଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏକ ଦୁର୍ବାର ଆନ୍ଦୋଳନ ଲାଗି ମାର୍ଗ ଦର୍ଶନ କରିବେ ବୋଲି ରାଜ୍ୟ କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସୂଜନା ଦେଇଛନ୍ତି ।

Follow by Email
WhatsApp