ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର

କନ୍ଧମାଳ,୧୮/୪.(ଏନଟିପି) :କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଘରେ ରହୁଛନ୍ତି। ଆବଶ୍ୟକ ନ ଥିଲେ କେହି ବଜାରକୁ ଆସୁନାହାନ୍ତି। କେବଳ ବ୍ୟାଙ୍କ ପ୍ରତିଷ୍ଠାନ ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକଙ୍କ ଯାତାୟାତ ଯାହା ରହୁଛି । ଏହି ସମୟରେ ଦୁର୍ଗମ ଅଞ୍ଚଳର ମହିଳାମାନେ ନିଜ ପେଟ ପୋଷିବା ପାଇଁ ଜଙ୍ଗଲରୁ ସିଆଳି ପତ୍ର ସଂଗ୍ରହ କରିବା ସହ ଘରେ ସମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସିଲେଇ କରୁଛନ୍ତି। ଯେଉଁଠି ସହରରେ ମୋବାଇଲ ସେବା ସହ ବିଭିନ୍ନ ମନୋରଞ୍ଜନ କରି ଲୋକେ ସମୟ ଅତିବାହିତ କରୁଥିବା ବେଳେ ସେହି ସମୟରେ ନିଜ ପେଟ ପାଇଁ ଦୁର୍ଗମ ଅଞ୍ଚଳର ମହିଳାମାନେ ପ୍ରୟାସ ଜାରି ରଖିଛନ୍ତିି । ଆସନ୍ତା ମେ ୩ରେ ଲକ୍‌ଡାଉନ୍‌ ଖୋଲିଗଲା ପରେ ସେମାନେ ଏହି ଖଲି ବିକ୍ରିବଟା କରି ପରିବାର ଗୁଜୁରାଣ କରିବେ ବୋଲି ସିକାବର୍ଗ ପଞ୍ଚାୟତ ବଡ଼ାଙ୍ଗିଆ ଗ୍ରାମର ମହିଳାମାନେ କହିଛନ୍ତି। ପ୍ରାୟ ଏକ ସପ୍ତାହ ଧରି ସିଆଳି ପତ୍ର ସଂଗ୍ରହ କରିବା ପରେ ଏବେ ଘରେ ସିଲେଇରେ ବ୍ୟସ୍ତ ରହିଛନ୍ତି। ସିଲେଇ ପରେ ପତ୍ରକୁ ଶୁଖାଇବା କାର୍ଯ୍ୟ ପ୍ରାୟ ୨ରୁ ୩ ଦିନ ପରେ ୮୦ଟି ପତ୍ରକୁ ଏକ ଚକି ହିସାବରେ ବନ୍ଧା ଯାଇ ବଜାରରେ ବିକ୍ରି କରାଯିବ। ଏବେ  କରୋନା ବାଧକ ସାଜିଥିବାରୁ କୌଣସି ବ୍ୟବସାୟୀ ଖଲି କିଣୁ ନାହାନ୍ତି। ଫଳରେ ଉକ୍ତ ବ୍ଲକର ପ୍ରାୟ ୨୫ ପଞ୍ଚାୟତର ଲୋକେ ଖଲିପତ୍ର ବିକ୍ରି କରିବା ଅପେକ୍ଷାରେ ରହିଥିବା ଭ୍ରମରବାଡ଼ି ଗ୍ରାମର ନାମୋଜିନି ପ୍ରଧାନ କହିଛନ୍ତି।

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ଏନ ଟି ପି 

Follow by Email
WhatsApp