ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ(ଏନଟିପି):

ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ସରକାର ଭାରତର ଜନଜାତିଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ହୋଇଛନ୍ତି । ସେହିପରି ମୋଦି ସରକାରଙ୍କ କଲ୍ୟାଣକାରୀ ସୌଭାଗ୍ୟ ଯୋଜନାରେ ଘରକୁ ବିଦ୍ୟୁତ ସଂଯୋଗ ହେଉ ଅବା ଶୌଚାଳୟ, ପକ୍କା ଘର ନିର୍ମାଣ, ମୁଦ୍ରାରେ ଲୋନ ବ୍ୟବସ୍ଥାରେ ଜନଜାତି ଅଧିକ ଲାଭ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ୧୦ ଲକ୍ଷ କୋଟି ପେଟ୍ରୋଲିୟମ ପଦାର୍ଥ ବିଦେଶରୁ କିଣିବାକୁ ପଡୁଛି । ଦେଶକୁ ଆଗକୁ ବଢେଇବାକୁ ହେଲେ ନିଜ ଉପାୟରେ ଉର୍ଜା ବାହାର କରିବାକୁ ପଡିବ । ଏହି ୧୦ ଲକ୍ଷ କୋଟିକୁ ବଂଚାଇବାର ତଥା କମାଇବାର ସାମର୍ଥ୍ୟ ଜନଜାତିଙ୍କ ହାତରେ ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ ବୋୟୋମାସ ରହିଛି । କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଏବେ ଜଙ୍ଗଲରୁ ମିଳୁଥିବା ବର୍ଜ୍ୟବସ୍ତୁରୁ ଉର୍ଜା ତଥା ତୈଳ ଏବଂ ଗ୍ୟାସ ଉତ୍ପାଦିତ କରିବାର ଯୋଜନା ରହିଛି । ଆଗାମୀ ଦିନରେ ଭାରତର ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟରୁ ଉର୍ଜା ଉତ୍ପାଦନ କଲେ ୧୦ ଲକ୍ଷ କୋଟିକୁ ବଂଚାଯାଇ ସେହି ଟଙ୍କାରେ ଜନଜାତିଙ୍କ ବିକାଶ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Follow by Email
WhatsApp