କନ୍ଧମାଳ(ଏନଟିପି):
କନ୍ଧମାଳରେ ସମାଧାନ ହେବ ମୋବାଇଲ ନେଟୱର୍କ ଜନିତ ସମସ୍ୟା।ସମସ୍ୟାର ସମାଧାନ ପାଇଁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଛନ୍ତି।କନ୍ଧମାଳ ଜିଲ୍ଲାରେ ମୋବାଇଲ ନେଟ୍ୱାର୍କ ସମସ୍ୟା ନେଇ ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଜିଲ୍ଲାରେ ନେଟ୍ୱାର୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଲେ। କନ୍ଧମାଳ ଜିଲ୍ଲାର ବ୍ୟାପକ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମୋବାଇଲ ଟାୱାର ଖରାପ ଥିବାରୁ ଅଧିକାଂଶ ସମୟରେ ମୋବାଇଲ ଫୋନ କାମ କରୁ ନାହିଁ। ଏହା ବ୍ୟତୀତ ଅଧିକାଂଶ ସ୍ଥାନରେ ମୋବାଇଲ ଟାୱାର ନଥିବାରୁ ଟେଲିଫୋନ ଯୋଗାଯୋଗ ନେଇ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଡ.ସାମନ୍ତ। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଡ଼.ସାମନ୍ତଙ୍କ ଅନୁରୋଧକୁ ଗୁରୁତ୍ୱ ଦେବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କନ୍ଧମାଳ ବ୍ୟତୀତ ଓଡ଼ିଶାର ଅନ୍ୟ ଗ୍ରାମାଞ୍ଚଳ ତଥା ଜନଜାତି ଅଧ୍ୟୁଷିତ ଅଂଚଳଗୁଡିକରେ ମୋବାଇଲ ନେଟ୍ୱାର୍କରେ ସମସ୍ୟା ରହୁଥିବାରୁ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ରବି ଶଙ୍କର ପ୍ରସାଦ ପ୍ରତିଶ୍ରୁତି ଦେଇଛନ୍ତି।
