ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ… ପଢନ୍ତୁ ପୁରା ରିପୋର୍ଟ…

ନୂଆଦିଲ୍ଲୀ,(ଏନଟିପି ବ୍ୟୁରୋ):
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶନିବାର ପରଲୋକ ଘଟିଛି। ବର୍ତ୍ତମାନ ଦିଲ୍ଲୀର ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଦିଲ୍ଲୀର ଏସକର୍ଟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି। ଶୀଲାଙ୍କ ନାମରେ ସବୁଠୁ ଅଧିକ ସମୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ରେକର୍ଡ ରହିଛି। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ରାଜନୀତିରେ ଅଧିକ ସକ୍ରିୟ ନଥିଲେ ଏବଂ ନିକଟରେ ସେ ଦିଲ୍ଲୀରେ ନୂତନ ଜିଲ୍ଲାଧ୍ୟକ୍ଷ ମଧ୍ୟ ନିଯୁକ୍ତ କରିଥିଲେ।

ଶୀଲା ଦୀକ୍ଷିତ ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନେତୃତ୍ଵରେ କଂଗ୍ରେସ କ୍ରମାଗତ ତିନି ଥର ଦିଲ୍ଲୀରେ ସରକାର ଗଠନ କରିଥିଲା। ସେ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କପୁରଥଲାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀର କନଭେଟ୍ ଅଫ ଜିସସ ଆଣ୍ଡ ମେରି ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ଏହା ପରେ ଦିଲ୍ଲୀ ୟୁନିଭର୍ସିଟିର ମିରାଣ୍ଡା ହାଉସ କଲେଜରୁ କଳାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

ସେ ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର କନ୍ନୌଜରୁ ସାଂସଦ ରହିଥିଲେ। ସାଂସଦ ଭାବେ ସେ ଲୋକସଭାର ଏଷ୍ଟିମେଟ୍ କମିଟିର ସଦସ୍ୟ ମଧ୍ୟ ଥିଲେ। ଶୀଲାଙ୍କୁ ଦିଲ୍ଲୀର ରୂପ ବଦଳାଇବାର ଶ୍ରେୟ ମଧ୍ୟ ଦିଆଯାଏ। ତାଙ୍କ କାର୍ଯ୍ୟକାଳରେ ଦିଲ୍ଲୀରେ ଅନେକ ବିକାଶମୂଳକ କାମ ହୋଇଥିଲା। ସେ ୨୦୧୪ ମାର୍ଚ୍ଚ ୧୧ରେ କେରଳର ରାଜ୍ୟପାଳ ଦାୟିତ୍ଵ ସମ୍ଭାଳିଥିଲେ। ତାଙ୍କର ଏହି ପଦରେ କାର୍ଯ୍ୟକାଳ ବହୁତ ସଂକ୍ଷିପ୍ତ ଥିଲା। ସେ ୨୦୧୪ ଅଗଷ୍ଟ ୨୫ରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ଶୀଲା ଦୀକ୍ଷୀତ ମହିଳାଙ୍କ ସ୍ଥିତିକୁ ନେଇ ମିଳିତ ଜାତିସଂଘ ଆୟୋଗରେ ୫ ବର୍ଷ(୧୯୮୪-୧୯୮୯) ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ଵ କରିଥିଲେ। ସେ ୧୯୮୬ ରୁ ୧୯୮୯ ପର୍ଯ୍ୟନ୍ତ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ ଜରିଆରେ ଶୀଲା ଦୀକ୍ଷିତଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ସେଇଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୀଲା ଦୀକ୍ଷିତଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି।

Follow by Email
WhatsApp