ଆସାମ: ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ ସରକାର ରେଡ ଆଲର୍ଟ ଜାରି କରିଛନ୍ତି । ବନ୍ୟାରେ ରାଜ୍ୟର ୩୩ଟି ଜିଲ୍ଲାର ୪୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାରପେଟା ଜିଲ୍ଲା। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ବର୍ଷା ଯୋଗୁ ବ୍ରହ୍ମପୁତ୍ର ସମେତ ୧୧ଟି ନଦୀ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ୍ ସମେତ ସେନା ସାମିଲ ହୋଇଛି । ପ୍ରଭାବିତ ଅଞ୍ଚଳର ୮୩ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିପନ୍ନଙ୍କ ପାଇଁ ଖୋଲାଯାଇଛି ୧୮୩ ଟି ରିଲିଫ କ୍ୟାମ୍ପ ।
