ଆସୁଛି ହୋଲି: ବଢୁଛି ହର୍ବାଲ ରଙ୍ଗର ଚାହିଦା

ଭୁବନେଶ୍ୱର, ୧୭ ।୩(ଏନଟିପି ବ୍ୟୁରୋ): ଆଉ ୩ ଦିନ ପରେ ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇବେ ରାଜଧାନୀବାସୀ । ଏଥିପାଇଁ ଏବେଠାରୁ ବଜାରରେ ମେଲିଲାଣି ରଙ୍ଗର ପସରା । ବ୍ୟବସାୟୀମାନେ ଫଗୁକୁ ନେଇ ଦୋକାନ ସଜେଇଲେଣି । ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଏବେ ରାଜଧାନୀର ସବୁ ଛୋଟ ବଡ଼ ଦୋକାନରେ । ଖାଲି ସେତିକି ନୁହେଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ଦୋକାନରେ ରଙ୍ଗବେରଙ୍ଗର ଅବିର ସହ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ।

ବଜାରକୁ ଆସିଛି ବିଭିନ୍ନ ରଙ୍ଗର ଅବିର । କେମିକାଲ୍‌ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି । ଆଉ ଏଥରକ ବି ଲୋକେ ହର୍ବାଲ ରଙ୍ଗ ପ୍ରତି ବେଶ୍‌ ଆଗ୍ରହ ପ୍ରକାଶ କରୁଥବିା ଦେଖାଯାଇଛି । ହର୍ବାଲ ରଙ୍ଗର କିଣାବିକା ବି ବଢିବାରେ ଲାଗିଛି । ବିଭିନ୍ନ ବିଉଟି ପ୍ରଡକ୍ଟ କମ୍ପାନୀ ଏ ବର୍ଷ ନିଜ ନିଜ ବ୍ରାଣ୍ଡର ହର୍ବାଲ୍‌ ରଙ୍ଗ ବି ହୋଲି ବଜାର ପ୍ରବେଶ କରାଇଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନମାନେ ମଧ୍ୟ ହର୍ବାଲ୍‌ ହୋଲି ପ୍ରସ୍ତୁତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି ।

ବଜାରରେ ମିଳୁଥିବା ସାଧାରଣ ଫଗୁ କିଲୋପିଛା ୧୦୦ ଟଙ୍କାରରେ ବିକ୍ରି ହେଉଛି । ଏସମ୍ପର୍କରେ ଦୋକାନୀ ରବି ବେହେରା କୁହନ୍ତି, ଲୋକମାନେ କେମିକାଲ୍‌ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗକୁ ଅଧିକ ପସନ୍ଦ କରୁଛନ୍ତି । ବହୁ ଦୋକାନରେ କେମିକାଲ୍‌ ରଙ୍ଗ ଆଉ ବିକ୍ରି କରାଯାଉନି । ରଙ୍ଗର ବ୍ୟବସାୟ ଆଉ ଦୁଇ ତିନି ଦିନ ପରେ ଭଲ ହେବ । ଦିନକୁ ପାଖାପାଖି ୮ରୁ ୧୦ ହଜାର ଟଙ୍କାର ବ୍ୟବସାୟ ହୁଏ । ହୋଲି ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ମଧ୍ୟ ବିକ୍ରି ଲାଗି ରହିବ । ହୋଲିରେ ରଙ୍ଗ ଭଳି ପିଚକାରୀ ବି ମୁଖ୍ୟ ଜିନିଷ ।

ଏଥିପାଇଁ ବଜାରକୁ ନୂଆକରି ଆସିଛି ପେନ୍‌ସିଲ୍‌ ଡିଜାଇନ୍‌ର ପିଚକାରୀ । ଏହାର ଦାମ୍‌ ୧୫୦ରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ସେନାବାହିନୀ ବ୍ୟବହାର ହେଉଥିବା ବିଭିନ୍ନ ବନ୍ଧୁକ, ମିଶାଇଲ୍‌ ଆକୃତିର ପିଚ୍‌କାରୀ ମିଳୁଛି । ଏହାର ଦାମ୍‌ ପ୍ରାୟ ୫୦୦ରୁ ୧୦୦୦ ଟଙ୍କା ଭିତରେ ରହିଛି । ପ୍ଲାଷ୍ଟିକ୍‌ ବ୍ୟତୀତ ଧାତବ ପିଚ୍‌କାରୀ ବି ମିଳୁଛି । ଛୋଟ ପିଲାଙ୍କ ପାଇଁ ବନ୍ଧୁକରେ କାର୍ଟୁନ ହାତୀ, ବାଘ, ଘୋଡ଼ା ଆଦିର ଚିତ୍ର କରାଯାଇଛି । ଏସବୁର ଦାମ୍‌ ୪୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଫଳ ଆକୃତିର ପିଚକାରୀ ବି ମିଳୁଛି । ରଙ୍ଗ ଫୋପାଡ଼ିବା ପାଇଁ ବେଲୁନ୍‌ ମିଳୁଛି । ଏହାର ଦାମ୍‌ ପ୍ୟାକେଟ ପିଛା ୫୦ରୁ ୧୦୦ ଟଙ୍କା ରହିଛି । ଗୋଟିଏ ପ୍ୟାକେଟ୍‌ରେ ୧୦୦ଟି ବେଲୁନ୍‌ ଅଛି ।

ହୋଲିରେ ଅନ୍ୟତମ ଆକର୍ଷଣ ବିଭିନ୍ନ ପ୍ରକାରର ମୁଖା ବି ଦୋକାନରେ ମିଳୁଛି । ପଶୁ ମୁଖା, ଭୂତ, କ୍ରିସ୍‌, ସ୍ପାଇଡର୍‌ ମ୍ୟାନ୍‌, ଜୋକର ଆଦିର ମୁଖା ଉପଲବ୍ଧ ହେଉଛି । ପଶୁ ଓ ଭୂତର ଦାମ୍‌ ଡିଜାଇନ୍‌ ଅନୁସାରେ ୩୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପିଲାଙ୍କ ପାଇଁ ଡୋରେମନ୍‌, ନଞ୍ଜିା ହାତୋଡି, ଛୋଟା ଭିମ୍, କିସ୍ର, ମୋଟୁ ଓ ପତ୍‌ଲୁ, ପିକାଚୁ ଭଳି କାର୍ଟୁନ୍‌ଙ୍କୁ ମୁଖା ରହିଛି । ଯାହାର ଦାମ୍‌ ୧୦ରୁ ଆରମ୍ଭ କରି ୧୦୦-୧୫୦ ଟଙ୍କା ମଧ୍ୟରେ ରହିଛି । ଏହା ସହ ହୋଲି ପାଇଁ ପଗଡ଼ି, ଜୋକର୍‌, ହ୍ୟାଟ୍‌, ସାଧା ଟୋପି ବି ଦୋକାନରେ ମିଳୁଛି । ଚଳିତ ବର୍ଷ ନୂଆକରି ଆସିଛି ପଗଡ଼ି । ସବୁର ଦାମ୍‌ ୫୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ହୋଲି ପାଇଁ ସବୁ ସାମଗ୍ରୀ କୋଲକାତା, ଦିଲ୍ଲୀ, ବେଙ୍ଗାଲୁରୁରୁ ଆସୁଛି ।

Follow by Email
WhatsApp