ରେଷ୍ଟୁରାଣ୍ଟ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ଶେଜୱାନ୍‌ ଚିକେନ୍…

ଚିକେନରେ ପ୍ରସ୍ତୁତ ଯେ କୌଣସି ଆଇଟମ ନନଭେଜିଟେରିଆନ ମାନଙ୍କୁ ପସନ୍ଦ ଆସିଥାଏ । ଚିକେନରେ ପ୍ରସ୍ତୁତ ଶେଜୱାନ ଚିକେନ୍ ଏମିତି ଆଇଟମ ଯାହାକି ସମସ୍ତଙ୍କର ପ୍ରିୟ । ଏହାକୁ ପ୍ରସ୍ତୁତ କରବା ମଧ୍ୟ ଅତି ସହଜ ।

ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ…
ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ।ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ଲୁଣ, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ଅଧଘଣ୍ଟା ମାରିନେଟ୍‌ ହେବାକୁ ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ କଡ଼େଇ ବସାଇ ତେଲ ଗରମ କରି ଏଥିରେ ମାରିନେଟ୍‌ ହୋଇ ରହିଥିବ ଚିକେନ୍‌ ପକାଇ ବ୍ରାଉନ୍‌ ହେବା ଯାଏ ଫ୍ରାଏ କରନ୍ତୁ ।
ଚିକେନ୍‌ ଶିଝିଗଲେ ଏହାକୁ ଗ୍ୟାସ୍‌ରୁ ବାହାର କରି ଅଲଗା ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍‌ ଯାଏ ଭାଜନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ କିଛି ସମୟ ଭାଜନ୍ତୁ।
ବର୍ତ୍ତମାନ ଏଥିରେ ସୋୟା ସସ୍‌, ଶେଜୱାନ୍ ସସ୍‌, ଭିନେଗାର, ଚିନି, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ କର୍ଣ୍ଣଷ୍ଟାର୍ଚ, ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ଗୋଳାନ୍ତୁ। ଏବେ ସିଝା ଚିକେନ୍‌କୁ ଏଥିରେ ପକାଇ ଗୋଳାନ୍ତୁ ଓ ମଧ୍ୟମ ଆଞ୍ଚରେ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଶେଜୱାନ୍‌ ଚିକେନ୍‌’ ଏବଂ ଏହାକୁ ଗରମ ଗରମ ପରଷନ୍ତୁ ।

Follow by Email
WhatsApp