ପୁଲିସ, ପ୍ରଶାସନ ସହ ଇସିଆଇ ଟିମଙ୍କ ଆଲୋଚନା: ଅବାଧ, ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵାରୋପ

ଭୁବନେଶ୍ୱର (ଏନଟିପି)

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ଇଲେକ୍ସନ କମିଶନ ଅଫ ଇଣ୍ଡିଆ(ଇସିଆଇ)ର ୬ଜଣିଆ ଟିମ୍‌ ଗୁରୁବାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ବୈଠକ କରିଥିବା ବେଳେ ଶୁକ୍ରବାର ଦ୍ବିତୀୟ ଦିନରେ ପୁଲିସ ବିଭାଗ ଏବଂ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଏ ନେଇ ଆୟୋଜିତ ଏକ ବୈଠକରେ ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କମିଶନଙ୍କ ଟିମ୍‌ ସହିତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିର୍ବାଚନକୁ ନେଇ ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୁଥରେ ବିଦ୍ୟୁତ ଏବଂ ପାନୀୟଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ସମ୍ପର୍କରେ ଅବଗତ କରାଯାଇଛି। ଡିଜିପି ଶର୍ମା କହିଛନ୍ତି, ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ପୁଲିସର ନଜର ରହିଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ସୁରକ୍ଷା ଅଧିକାରୀଙ୍କ ସହ ବିଶେଷ ଭାବେ ଆଲୋଚନା ହେବ। ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା କାରବାର ଉପରେ କଡ଼ା ନଜର ରହିବ। ନିର୍ବାଚନରେ ଯିବେ ବିଶୃଙ୍ଖଳା ସୃଷ୍ଟି କରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶର୍ମା ସୂଚନା ଦେଇଛନ୍ତି।
Follow by Email
WhatsApp