ଗରିବ ସବର୍ଣ୍ଣ ପାଇବେ ଚାକିରି,ଶିକ୍ଷାରେ ୧୦% ସଂରକ୍ଷଣ

ଏନଟିପି(ନୂଆଦିଲ୍ଲୀ)

ଏଣିକି ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ । ଆଇନରେ ପରିଣତ ହେଲା କୋଟା ବିଲ୍

ଏଣିକି ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ମିଳିବ ସଂରକ୍ଷଣ । କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ରସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭା ଓ ରାଜ୍ୟସଭାରେ ବିପୁଳ ସମର୍ଥନ ହାସଲ କରି ପାରିତ ହୋଇଥିଲା । ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି ।

ଫଳରେ ସଂରକ୍ଷଣ ଆଇନରୁ ବାହାରେ ରହି ଆସିଥିବା ସବର୍ଣ୍ଣ ଗୋଷ୍ଠୀଙ୍କୁ ଏବେ ଶିକ୍ଷା ଓ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ପୂର୍ବରୁ ଜାତି ଓ ଧର୍ମ ଆଧାରରେ ଦେଶରେ ସଂରକ୍ଷଣ ହୋଉଥିବା ବେଳେ ଏହା ପ୍ରଥମ ଥର ପାଇଁ ଆର୍ଥିକ ସ୍ଥିତି ନେଇ ଆଇନ ହୋଇଛି ବୋଲି ବିଜେପି କହିଛି । ଅନ୍ୟପଟେ ଏହା ମୋଦି ସରକାରଙ୍କ ପ୍ରାକ୍ ନିର୍ବାଚନୀ ଚାଲ ବୋଲି କହିଛନ୍ତି ବିରୋଧୀ । ସଂସଦର ଅଧିବେଶନର ଶେଷ ଦିନରେ ବିଲ୍ ଆଣି ଲୋକଙ୍କୁ ଭୁତାଇଛନ୍ତି ବୋଲି ମଧ୍ୟ ବିରୋଧି କହିଥିଲେ ।

ସେପଟେ, ଏହାକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଂଜ କରାଯାଇଛି। ‘ୟୁଥ୍ ଫର ଇକ୍ବାଲିଟି’ ନାମକ ଏକ ସଂଗଠନ ପକ୍ଷରୁ ଏହି ବିଲ୍କୁ ଜୋର୍ଦାର ବିରୋଧ କରାଯାଇ ମାମଲା ରୁଜୁ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଆର୍ଥିକ ମାପଦଣ୍ଡକୁ ସଂରକ୍ଷଣର ଏକମାତ୍ର ଆଧାର କରାଯାଇ ପାରିବ ନାହିଁ। ସମାନତାର ଅଧିକାର ଏବଂ ସମ୍ବିଧାନର ମୂଳ ଢାଞ୍ଚାକୁ ଏଭଳି ବ୍ୟବସ୍ଥା ସୁହାଉନାହିଁ ବୋଲି ଦର୍ଶାଯାଇଛି । ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନାଗରାଜ ବନାମ ଭାରତ ସରକାର ମାମଲାରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟର ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ୧୯୭୩ ରେ ୧୩ ଜଣିଆ ସମ୍ବିଧାନ ପୀଠ କହିଥିଲେ ଯେ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ସଂସଦ ବଦଳାଇ ପାରିବ ନାହିଁ। ସରକାରଙ୍କ ନୂଆ ବିଲରେ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ରହିଥିଲେ ସଂରକ୍ଷଣ ସୁବିଧା ଦେବାପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଯାଇଛି। ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ ହୋଇଥିବା ବେଳେ ଆଜି ରାଷ୍ଟ୍ରପତିଙ୍କ ମୋହର ବାଜିଛି ।

Follow by Email
WhatsApp