ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟର କଲେଜିୟମ୍ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଛି । ବିହାର ପାଟନା କୋର୍ଟରେ ବର୍ତ୍ତମାନ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦିଆଯାଇଛି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଗୁରୁବାର ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିବା ପାଇଁ ସୁପାରିଶ କରିଛନ୍ତି ।

୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ ଓକିଲାତି ଆରମ୍ଭ କରିଥିଲେ । ୧୯୯୮ରେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାର୍ଯ୍ୟ କରିଥିଲେ । ସେ ମୁଖ୍ୟତଃ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ଶ୍ରମ ଆଇନ ଅନ୍ତର୍ଗତରେ ଆସୁଥିବା ଅପରାଧିକ ମାମଲାର ପରିଚାଳନା କରୁଥିଲେ । ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ପକ୍ଷରୁ ମାମଲା ପରିଚାଳନା ପାଇଁ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ୱାରା ପ୍ୟାନେଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ତାଙ୍କୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୧୦ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ୫ ଯାଏଁ ସେ ପାଟନା ହାଇକୋର୍ଟରେଅତିରିକ୍ତ ଜର୍ଜ ଭାବରେ ନିଯୁକ୍ତ ଥିଲେ ।

Follow by Email
WhatsApp