ମନ୍ତ୍ରୀ ପଦରୁ ବିଦା ହେଲେ ମହାରଥୀ

ଏନଟିପି(ଭୁବନେଶ୍ୱର)ପୀପିଲି ଗଣଦୁଷ୍କର୍ମ ଘଟଣାର ଭିନ୍ନ ମୋଡ଼।ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ | ଇସ୍ତଫା ଦେବାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦୀପ ମହାରଥୀ କହିଛନ୍ତି ଯେ, ସେ ବିଜୁ ଜନତା ଦଳର ସଚ୍ଚୋଟ କର୍ମୀ | ୩୫ ବର୍ଷ ଭିତରେ ସେ ବିଜୁ ଜନତା ଦଳରେ ଥାଇ ୬ଥର ବିଧାୟକ ହୋଇସାରିଛନ୍ତି | ଦଳ ପ୍ରତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି ବୋଲି ପ୍ରଦୀପ କହିଛନ୍ତି | ପିପିଲି ଗଣଦୁଷ୍କର୍ମ ମାମଲାକୁ ନେଇ ବିଜୁ ଜନତା ଦଳକୁ ଏବଂ ପ୍ରଦୀପ ମହାରଥୀଙ୍କୁ ପ୍ରତିଦିନ ଟାର୍ଗେଟ କରୁଥିଲେ ବିରୋଧୀ ଦଳ | ଦଳ ଉପରେ କୌଣସି ପ୍ରକାର ଚାପ ନପଡୁ ବୋଲି ମହାରଥୀ ନିଜେ ନିଜ ଇଚ୍ଛାରେ ଇସ୍ତଫା ଦେଇଥିବା ସ୍ୱୀକାର କରିଛନ୍ତି | ସେ ନିଜ ଇଚ୍ଛାରେ ସ୍ୱତଃ ପ୍ରବୃତ ଭାବେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି |

ସୂଚନାଯୋଗ୍ୟ ଯେ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବାରମ୍ବାର ବିବାଦ ଘେରରେ ରହିଆସୁଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ | ନିକଟରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ନିର୍ଦୋଷରେ ଖଲାସ କରିବା ପରେ ମନ୍ତ୍ରୀ ମହାରଥୀ ଦେଇଥିବା ମନ୍ତବ୍ୟ ତାଙ୍କୁ ବିବାଦ ଘେରକୁ ଟାଣିନେଇଥିଲା | ଏହାକୁ ବିରୋଧୀ ଦଳ ଗଣ୍ଠି କରି ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡାମାଡ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ | ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ନବୀନ ନିବାସ ଘେରାଉ କରିଥିଲା | ଉଭୟ ବିରୋଧୀ ଦଳର ମହିଳା ମୋର୍ଚ୍ଚା ମହାରଥୀଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ | ଯାହାଫଳରେ ସରକାରଙ୍କ ଉପରେ ଚାପ ବଢି ଚାଲିଥିଲା |

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସଠିକ ଯାଞ୍ଚ ହୋଇନଥିବା ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ | ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା |

ଅପରପକ୍ଷରେ ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା କଂଗ୍ରେସ | ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କରିଥିଲା କଂଗ୍ରେସ | ତଦନ୍ତ ମୂଳରୁ ବାଟବଣା ହୋଇଥିବା ଏବଂ ମାମଲାକୁ ରଫାଦଫା କରିବା ପାଇଁ ନିଜ ଦଳର କର୍ମୀଙ୍କୁ ସାକ୍ଷୀ ଭାବେ ନିଆଯାଇଥିବା ଅଭିଯୋଗ କରିଥିଲା କଂଗ୍ରେସ | ଏହାଛଡା କାର୍ଯ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା |

ଗତକାଲି ପ୍ରଧାନମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବା ସମାବେଶରେ ଏହି ପ୍ରସଙ୍ଗ ଉଠାଇଥିଲେ | ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ୮ ବର୍ଷ ତଳେ ପିପିଲିରେ ଏକ ଗଣଦୁଷ୍କର୍ମ ହୋଇଥିଲା ଏବଂ ମାମଲାରେ ପୀଡିତା ନ୍ୟାୟ ପାଇନାହାନ୍ତି | ବରଂ ଦୋଷୀ ନିର୍ଦୋଷରେ ଖଲାସ ହୋଇଯାଇଛନ୍ତି | ରାଜ୍ୟ ସରକାରଙ୍କୁ ଏହି ମାମଲାର ସଠିକ ଯାଞ୍ଚ ପାଇଁ ମୋଦି ପରାମର୍ଶ ଦେଇଥିଲେ | ଯାହାଫଳରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଚାପ ବଢିଥିଲା | ମୁଖ୍ୟମନ୍ତ୍ରୀ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ସେ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ଏବଂ ଏନେଇ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ | ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ମହାରଥୀ ତାଙ୍କ ପଦରୁ ହଟିପାରନ୍ତି |

Follow by Email
WhatsApp