ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ
୧୦୯ କରି ପ୍ରଶାସନ ଦଳ ବିଜୟୀ

ଅନୁଗୋଳ,୧୭।୧୨:

ଶନିବାର ପ୍ରାତଃ ସମୟରେ ଅନୁଗୋଳ ସାମ୍ବାଦିକ ସମୂହ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ତେବେ ୧୫ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ ହରାଇ ପ୍ରଶାସନ ବିଜୟ ହାସଲ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଅନୁଗୋଳ ସହର ମଧ୍ୟରେ ଥିବା କଦମ ପଡିଆ ଠାରେ ୧୫ ଓଭର ବିଶିଷ୍ଟ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଉପଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା, ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ଜିଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉକ୍ତ ମ୍ୟାଚକୁ ଉଦ୍ଘାଟନ କରିଥିଲେ।
ଏହି ମ୍ୟାଚରେ ପ୍ରଥମେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ସାମ୍ବାଦିକ ଦଳ ତରଫରୁ ସମରେଶ ନାଥ ଓ ଅମିତ ସାମଲ ଟସ କାର୍ଯ୍ୟକ୍ରମ କରିଥିଲେ। ଟସ ଜିତି ସାମ୍ବାଦିକ ଦଳ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଶାସନ ଦଳ ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଥିଲା।
୧୫ ଓଭର ଶେଷସୁଦ୍ଧା ପ୍ରଶାସନ ଏକାଦଶ ୯ଟି ମୂଲ୍ୟବାନ ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା। ଏଥି ସହ ନିଜ ଦଳର ବିଜୟ ନେଇ ନିଜେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପଡିଆକୁ ଓଲ୍ହାହି ଥିଲେ। ଅପରପକ୍ଷେ ପ୍ରତିପକ୍ଷ ସାମ୍ବାଦିକ ଦଳ ଦ୍ୱିତୀୟ ପାଳିରେ ପ୍ରଶାସନ ଦଳ ଆଗରେ ନିଜର ବହୁମୂଲ୍ୟ ସମସ୍ତ ୱିକେଟ ହରାଇ ୧୩ଓଭରରେ ୬୮ ରନ କରି ଅଲଆଉଟ ପରାଜୟ ହୋଇଥିଲେ। ବିଜୟୀ ପ୍ରଶାସନ ଦଳକୁ ଉପଜିଲ୍ଲାପାଳ ବୈତୁରା ଦୀପ ପୁରସ୍କାର ପ୍ରଦାନ କରିଥିଲେ।
ସେହିପରି ସାମ୍ବାଦିକ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାନସ ମିଶ୍ର,ପତିତପାବନ ସାହୁ, ଲିଟୁନ ସାହୁ, ସଂଗ୍ରାମ ରଞ୍ଜନ ନାଥ, ସମରେଶ ନାଥ, ଅମିତ ସାମଲ, ବିକାଶ ସାହୁ, ପ୍ରକାଶ ପ୍ରଧାନ ରହିଥିଲେ।

Follow by Email
WhatsApp