ବିଜେଡି ଅନୈତିକ କାମରୁ ନିବୃତ ରହିବାକୁ ସିଇଓଙ୍କଠାରେ ଫେରାଦ ହେଲା ବିଜେପି

ବିଜେଡି ଖୋଲା ଖୋଲି ଟଙ୍କା ବାଂଟୁଛି,ପୋଲିସ ପ୍ରଶାସନ ନିରବ: ଡ.ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର, ତା.୦୪/୧୨:

ବିଧିବଦ୍ଧଭାବେ ନିର୍ବାଚନ ପ୍ରଚାର ସରିବା ପରେ ମଧ୍ୟ ବିଜୁ ଜନତା ଦଳ ଅନୈତିକ କାମରୁ ନିବୃତି ନେଇନାହିଁ । ଗତକାଲି ପଦ୍ମପୁରର ବିଭିନ୍ନ ଅଂଚଳରେ ବିଜେଡି ଟଙ୍କା ବାଂଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଗଦଲପୁର ଥାନା ଅଧିନ ସରେଇକେଲା ଅଂଚଳରେ ବିଜେଡି ପ୍ରାର୍ଥୀ ବର୍ଷା ସିଂବରିହାଙ୍କ ନିଜ ଭାଇ ଭୋଜରାଜ ସିଂ ବରିହା ଆଜି ଟଙ୍କା ବାଂଟି ଥିବାବେଳେ ଭୋଟର ତାଙ୍କୁ କାବୁ କରିଥିଲେ । ସୁଯୋଗ ଦେଖି ପୋଲିସ ଉପସ୍ଥିତ ଥିବା ସତ୍ୱେ ଭୋଜରାଜ ସିଂ ବରିହା ଅନ୍ୟ ଏକ ଗାଡିରେ ଖସି ପଳାଇ ଯାଇଥିଲେ । ପୋଲିସ ନିରବଦ୍ରଷ୍ଟା ସାଜି ଦୃଶ୍ୟକୁ ଉପଭୋଗ କରୁଥିଲା । ଯାହାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି । ସେହିପରି ପୁଦ୍ମପୁରର ବାରିକେଲ ପଂଚାୟତର ଚିତାଖୋଲ ଗାଁ ଓ ପାଇକମାଲ ବ୍ଲକର କାସଡା ଓ ନିଳାଥର ପଂଚାୟତରେର ଭୋଟରଙ୍କୁ ବିଜେଡି କର୍ମୀ ଟଙ୍କା ଦେଇ ଭୋଟ ହାତେଇବାର ହୀନଚକ୍ରାନ୍ତ କରୁଛି । ହାରିବା ଭୟରେ ବିଜୁ ଜନତା ଦଳ ସ୍ୱାଭିମାନୀ ପଦ୍ମପୁରବାସୀଙ୍କୁ ଟଙ୍କା ଦେଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି । ଏନେଇ ଆଜି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ତତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।
ଗତକାଲି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବାରିହାପାଲି ପଂଚାୟତକୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ଏତିକି ବେଳେ ନନ୍ଦିଘୋଷ ଟିଭି ଚ୍ୟାନେଲର ରିପୋର୍ଟର ବିଜେଡି କର୍ମୀଙ୍କୁ ସାଙ୍ଗରେ ନେଇ ଶ୍ରୀ ପୁରୋହିତଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲା । ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଶ୍ରୀ ପୁରୋହିତ ପ୍ରତିକ୍ରିୟା ଦେଇ ସାରିଥିଲେ ମଧ୍ୟ ସେମାନେ ଜୋର ଜବଦସ୍ତ ଟଣା ଓଟରା କରିବା ସହ ନିର୍ବାଚନ ପ୍ରଚାର କରୁଛନ୍ତି କି ନାହିଁ ବାରମ୍ବାର ପ୍ରଶ୍ନ କରିଚାଲିଥିଲେ । ସବୁଠୁ ବଡ କଥା ହେଲା ଶ୍ରୀ ପୁରୋହିତ ସବୁଦିନ ସତ୍‌ସଙ୍ଗରେ ଯୋଗ ଦେବାକୁ ଯାଆନ୍ତି ଓ ଗତକାଲି ମଧ୍ୟ ଯାଇଥିଲେ ଏକଥା ବାରିହାପାଲିର ଶହ ଶହ ଲୋକ ଗଣମାଧ୍ୟମରେ କହିଛନ୍ତି । କିନ୍ତୁ ନନ୍ଦିଘୋଷ ଟିଭିର ସାମ୍ବାଦିକ ଘଟଣା ସ୍ଥଳରେ ବିଜେଡି କର୍ମୀଙ୍କ ସହଯୋଗରେ ଉତେଜନା ସୃଷ୍ଟି କରି ମିଛରେ ପ୍ରଦୀପ ପୁରୋହିତଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏନେଇ ପଦ୍ମପୁର ଉପନିର୍ବାଚନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଶାସକ ଦଳର ହାତବାରିସୀ ସାଜି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ସାହାଯ୍ୟ କରୁଛି ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଯଥାଶୀଘ୍ର ବିଜେଡି କର୍ମୀଙ୍କ ଟଙ୍କା ବାଂଟିବା, ନନ୍ଦିଘୋଷ ଟିଭି ସାମ୍ବାଦିକ ଓ ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ସିଇଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ଶ୍ରୀ ଭାସ୍କର ମଢ଼େଇ, ନବ ଚରଣ ମାଝୀ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ

Follow by Email
WhatsApp