କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କନ୍ଧମାଳ(ଏନ ଟି ପି):

କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ୬ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମର ୫ମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଇକିଆଠାରେ ନବନିର୍ମିତ ମିଶନ ଶକ୍ତି ଗୃହ ଶ୍ରୀ ସାମନ୍ତଙ୍କ ଦ୍ୱାରା ଶୁଭ ଉଦ୍‍ଘାଟନ ହୋଇଥିଲା। ଏଥିରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମରଣିକା ଟୁଲ, ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ସାମନ୍ତ ରାଇକିଆ କଲ୍ୟାଣମଣ୍ଡପଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ସାଂସଦ ଶ୍ରୀ ସାମନ୍ତଙ୍କ ସମେତ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଜେଡିର ଜି ଉଦୟଗିରି ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା, ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର, ବିଜୁ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ମହିଳା ସଭାପତି ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଉପସ୍ଥିତ ଦଳୟୀ କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ସାମନ୍ତ ରାଇକିଆ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ବ୍ଲକ୍‍ର ପଞ୍ଚାୟତ ଜନ ପ୍ରତିନିଧି ଓ ମୋ ବନ୍ଧୁ ବୈଠକରେ ଯୋଗ ଦେବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଙ୍‍କ୍ଷା ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତ ଗୁଡ଼୍ରିପଡ଼ିସ୍ଥିତ କମଳାନେହରୁ ଉଚ୍ଚବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହକୁ ଉଦ୍‍ଘାଟନ କରିଥିଲେ। ଶ୍ରୀ ସାମନ୍ତ ରାଇକିଆ ଓ ଟିକାବାଲିଠାରେ ଚାଲୁଥିବା ୬୯ତମ ରାଜ୍ୟ ଭଲିବଲ୍‍ (ପୁରୁଷ) ଚାମ୍ପିଅନ୍‍ସିପରେ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଂଧ୍ୟାରେ ଫୁଲବାଣୀଠାରେ ଚାଲୁଥିବା ୬୯ତମ ରାଜ୍ୟ ଭଲିବଲ୍‍ (ମହିଳା) ଚାମ୍ପିଅନ୍‍ସିପ୍‍ର ଉଦ୍‍ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଶ୍ରୀ ସାମନ୍ତ ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟ ଓ ଟିକାବାଲି ବାଡ଼ିମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟଠାରେ ମଧ୍ୟ ସ୍ଥାନୀୟ ଗରିବ ବୟସ୍କ ନାଗରିକଙ୍କୁ କମ୍ବଳ ଓ ଶାଢ଼ି ବଣ୍ଟନ କରିଥିଲେ।

Follow by Email
WhatsApp