ମହାଯାତ୍ରାରେ ମହାରଥୀ,ସ୍ୱର୍ଗଦ୍ୱାରରେ ହେବ ଶେଷ କୃତ୍ୟ

ଭୁବନେଶ୍ୱର(ଏନଟିପି):

ପରଲୋକରେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଟଥିବା ସୂଚନା ମିଳିଛି  । ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରମାନେ ତାଙ୍କ ଉପରେ ୪୮ ଘଣ୍ଟିଆ ନଜର ରଖିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନେବା ପାଇଁ ଯୋଜନା ହୋଇଥିଲା । ହେଲେ ଇତି ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା  ସୂଚନା ମିଳିଛି ।  ରବିବାର ରାତି ୩ ଟା ବେଳେ ମୃତ୍ୟୁ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଭୋର ସମୟରେ ସ୍ବର୍ଗତ ମହାରଥୀଙ୍କ ମର ଶରୀରକୁ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନ କୁ ନିଆଯିବା ପରେ ତାଙ୍କ ମର ଶରୀରକୁ ପିପିଲିସ୍ଥିତ ବାସଭବନକୁ ନିଆଯାଇଛି।ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯିବ।

ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୫ ମସିହାରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠୁ ଲଗାତାର ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ଦାୟିତ୍ବ ତୁଲାଇଛନ୍ତି । ପ୍ରାଥମିକ ଭାବେ ବିଜେଡିର ବିଧାନସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ।ମହାରଥୀ କୃଷି ମନ୍ତ୍ରୀ ସମୟରେ ଓଡିଶାକୁ କୃଷି କର୍ମଣ ପୁରସ୍କାର ମିଳିଥିଲା।

ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ ,ରସିଡେଣ୍ଟ ଏଡିଟର ,ଏନଟିପି

Follow by Email
WhatsApp