ଅନୁଗୁଳ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ, ୩୦/୯:(ଏନଟିପି):

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବପୁରାତନ କଲେଜ ଅନୁଗୁଳ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ଜୋର୍ ଧରିଛି। ଶିକ୍ଷା ବିକାଶ ମଞ୍ଚ, ଅନୁଗୁଳ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଦିଆଯାଇଛି। ଶିକ୍ଷା ବିକାଶ ମଞ୍ଚର ଅଧ୍ୟକ୍ଷା ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତିଙ୍କ ନେତ୍‌ୃତ୍ବରେ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡି, ବିଜେପି, କଂଗ୍ରେସ ଆଦି ସବୁ ଦଳର ନେତା ସାମିଲ ଥିଲେ।  

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୯୫୭ ମସିହାରେ ସ୍ଥାପିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ୫ଟି ବିଭାଗରେ ସ୍ନାତକୋତ୍ତର ରହିଛି। ୪୦ ଏକର ଜମିରେ ଜମିରେ ଅବସ୍ଥିତ ଏହି ମହାବିଦ୍ୟାଳୟରେ ଏବେ ୪୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ମହାବିଦ୍ୟାଳୟର ବହୁ  ପୁରାତନ ଛାତ୍ରଛାତ୍ରୀ ଏ‌େବ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ଦେଶ ସେବାରେ ନିୟୋଜିତ ହୋଇଛନ୍ତି। ଏହି ମହାବିଦ୍ୟାଳୟ ଅନେକ ଡାକ୍ତର, ଇଂଜିନିୟର, ପ୍ରଶାସକ, ଆଇନଜୀବୀ, ଅଧ୍ୟାପକ ସହିତ  ଲୋକପ୍ରିୟ ରାଜନେତା ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ଅନୁଗୁଳ ଜିଲ୍ଲାରେ ୫୧ଟି  ଯୁକ୍ତ ୨ ମହାବିଦ୍ୟାଳୟ, ୨୭ଟି ଡିଗ୍ରି ମହାବିଦ୍ୟାଳୟ ସହିତ ୨୮୨ଟି ହାଇସ୍କୁଲ ରହିଛି। ‘ନାକ୍‌’ ଦ୍ବାରା ‘ବି ପ୍ଲସ’ ମାନ୍ୟତାପ୍ରାପ୍ତ ଏହି ମହାବିଦ୍ୟାଳୟ ଏବେ ପ୍ରଶାସନିକ, ଅଧ୍ୟାପନା କାର୍ଯ୍ୟ ଆଦିରେ ଭାରାକ୍ରାନ୍ତ ଥିବା ଉତ୍କଳ ବିଶ୍ବଦ୍ୟାଳୟ ଅଧୀନରେ ରହିଛି। ଅନୁଗୁଳ ସରକାରୀ ମହାବିଦ୍ୟାଳୟୁ ବିଶ୍ବବିଦ୍ୟାଳୟରେ ପରିଣତ କରାଗଲେ ଶିକ୍ଷାର ବିକେନ୍ଦ୍ରୀକରଣ ହୋଇପାରିବ।  ଶିକ୍ଷାର ବିକ୍ରେନ୍ଦୀକରଣ ହୋଇପାରିଲେ ସହଜରେ ଓ ସୁବିଧାରେ ମୂଲ୍ୟବୋଧଭିତ୍ତିକ ତଥା ଗୁଣାତ୍ମକ ଶିକ୍ଷା ଉପଲବ୍‌ଧ ହୋଇପାରିବ। ୨୦୧୧ ଗଣନା ଅନୁସାରେ, ଜିଲ୍ଲା‌େର ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ପ୍ରାୟ ୩୩ ପ୍ରତିଶତ ଲୋକସଂଖ୍ୟା ରହିଥିଲା। ଅର୍ଥାଭାବ ଯୋଗୁଁ ବାହାରକୁ ଯାଇନପାରୁନଥିବା ପଛୁଆବର୍ଗ ବହୁଳ ଏହି ଜିଲ୍ଲାର ବିଭିନ୍ନ ସଂପ୍ରଦାୟର ବହୁତ ଗରିବ ପିଲା ଉଚ୍ଚଶିକ୍ଷା ପାଇବା ସହିତ ସେମାନଙ୍କ ସ୍ବପ୍ନ ସାକାର କରିପାରିବେ। ପାଲା, ଦଣ୍ଡ, ରାବଣ ଛାୟା ସହିତ ଜିଲ୍ଲାର ସମୃଦ୍ଧ କଳାସଂସ୍କୃତି ଓ ଶିଳ୍ପ ଉପରେ ଗବେଷଣା ହୋଇପାରିବ। ଜିଲ୍ଲାରେ ଅନେକ ଶିଳ୍ପାନୁଷ୍ଠାନ ‌ରହିଥିବାରୁ ଏଠାରେ ଦକ୍ଷତା ବିକାଶ ପାଇଁ ବିଭିନ୍ନ ପ୍ରକାର ନୂଆ ପାଠ୍ୟକ୍ରମ ଆରମ୍ଭ କରାଗଲେ ସ୍ଥାନୀୟ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଶିକ୍ଷା ବିକାଶ ମଞ୍ଚ, ଅନୁଗୁଳର ଅଧ୍ୟକ୍ଷା କୃଷ୍ଣା ମହାନ୍ତିଙ୍କ ସହିତ ଉପଦେଷ୍ଟା ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଲବ ଜେନା, ଆଇନ ପରାମର୍ଶଦାତା ଭୂପେଶ ପ୍ରଧାନ, ଆବାହକ ପ୍ରଫେସର ଶାନ୍ତନୁ କୁମାର ସର, ସଂଯୋଜକ ଡ. ଧରଣୀଧର ନାଥଙ୍କ ସହିତ ସଦସ୍ୟ ଅଜିତ ପ୍ରସାଦ ଦ୍ବିବେଦୀ, ପ୍ରତାପ ମହାପାତ୍ର ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ। ସେହିପରି ଏହି ମାଟିର ସନ୍ତାନ କେନ୍ଦ୍ର ପେଟ୍ରୋଲୟିମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ପତ୍ର ଜରିଆରେ ଅନୁ‌େରାଧ କରାଯାଇଛି। ଆଗରୁ ମଞ୍ଚର ଏକ ପ୍ରତିନିଧି ଦଳ ଜିଲ୍ଲାର ବିଧାୟକମାନଙ୍କୁ ଭେଟିଥିବା ବେଳେ ଆଜି ସ୍ଥାନୀୟ ସାଂସଦ ମହେଶ ସାହୁଙ୍କୁ ମଧ୍ୟ ‌ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଆଠମଲ୍ଳିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରଥମେ ବିଧାନସଭାରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପ୍ରସଂଗ ଉତ୍‌ଥାପନ କରିଥିବାରୁ ଶ୍ରୀ ସାଏଙ୍କୁ ଶିକ୍ଷା ବିକାଶ ମଂଚ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। 
Follow by Email
WhatsApp