ଦୁର୍ଘଟଣାରେ ଭାଇ ଭଉଣୀଙ୍କ ଦୁଃଖଦ ମୃତ୍ୟୁ ,ସମ୍ପର୍କୀୟ ଭାଇ ଗୁରୁତର

ଛେଣ୍ଡିପଦା( ଏନ ଟି ପି):

ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ ସ୍କର୍ପିଓ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ସମ୍ପର୍କୀୟ ଭାଇ ଯାହାଙ୍କ ବୟସ ୧୫ ରୁ୧୬ ବର୍ଷ ସେ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ନିରଞ୍ଜନ ବେହେରାଙ୍କ ୧୧ ବର୍ଷୀୟ ପୁଅ ନନ୍ଦୁରୁ ବେହେରା ଓ ୭ବର୍ଷୀୟା ଝିଅ ବୈଶାଖୀ ବେହେରାଙ୍କ ସହ ଉଭୟଙ୍କ ସମ୍ପର୍କୀୟ ଭାଇ ପପୁ ବେହେରା (ବାପା-ବାବାଜୀ ବେହେରା ) ୩ ଜଣ ରାଇଝରଣ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଛତୁ ବିକ୍ରୀ ଉଦେଶ୍ୟରେ ବସିଥିବାବେଳେ ସେମାନଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା। OR02BY 8778 ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଅନୁଗୋଳରୁ ଛେଣ୍ଡିପଦା ଅଭିମୁଖେ ଯାଉଥିବାବେଳେ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଚାଳକ ଏହି ଦୁର୍ଘଟଣା ଘଟାଇଥିବା ଜଣା ପଡ଼ିଛି। ଦୁର୍ଘଟଣା ଏତେ ତୀବ୍ର ଥିଲାଯେ ଘଟଣାସ୍ଥଳରେ ନାବାଳକ ନନ୍ଦୁରୁଙ୍କ ମୃତ୍ୟୁ ଘଟିଥିବାବେଳେ ନନ୍ଦୁରୁ ଙ୍କ ଭଉଣୀ ବୈଶାଖୀ ଓ ସମ୍ପର୍କୀୟ ଭାଇ ପପୁ ଗୁରୁତର ଆହତ ହୋଇଥିଲେ ।ଦୁର୍ଘଟଣାପରେ ଚାଳକ ଫେରାର ହୋଇ ଯାଇଥିବାବେଳେ ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।ଦୁର୍ଘଟଣା ପରେ ଗୁରୁତର୨ଜଣଙ୍କ ସହ ନାବାଳକଙ୍କ ମୃତଦେହକୁ ନିଶା ପୋଲିସ ଅନୁଗୋଳ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୈଶାଖୀଙ୍କ ମୃତ୍ୟୁ ଘଟିଥିଲା ।ଦୁର୍ଘଟଣା ପରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିଥିଲାବେଳେ ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଘଟଣା ସ୍ଥଳରେ ଚାପା ଉତେଜନା ଲାଗିରହିଛି।
Follow by Email
WhatsApp