ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇଲେ ସାଂସଦ ମହେଶ ସାହୁ

ନୂଆଦିଲ୍ଲୀ(ଏନଟିପି):

ଅନୁଗୋଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଗତ ୧୯ ତାରିଖରେ ସଂସଦରେ ଦାବି କରିଥିଲେ । ସାଂସଦ ଶ୍ରୀ ସାହୁ ,ନଦୀ ଉପରେ ରାଜବାଟୀ ନିକଟରେ ସେତୁ ଦାବୀର ଯଥାର୍ଥତା ଓ ତାଳଚେର ନିମନ୍ତେ ଏହାର ଆବଶ୍ୟକତା ଜଣାଇବା ସହ ଏଥିପାଇଁ ଅର୍ଥ ମଞ୍ଜୁର କରାଯିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ତାଳଚେରରେ ଦେଖା ଦେଇଥିବା ବାୟୁ ପ୍ରଦୁଷଣ ଏବଂ ଜାତୀୟ ରାଜପଥରେ ଟ୍ରାଫିକ୍ ସମସ୍ୟା ଯୋଗୁଁ ଏ ଅଞ୍ଚଳରେ ଦେଖାଦେଇଥିବା ଅସୁବିଧାକୁ ସମାଧାନ ଦିଗରେ ଏହି ସେତୁ ବେଶ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି । ତାଳଚେରରେ ଥିବା ଏମ.ସି.ଏଲ,ନାଲକୋ,ଏନ.ଟି.ପି.ସି ଆଦି ରାଷ୍ଟ୍ରାୟତଉଦ୍ୟୋଗ ଗୁଡିକ ଯୋଗୁଁ ରାସ୍ତାରେ ଅନେକ ଯାନବାହାନ ଯାତାୟତ କରିବା ଯୋଗୁଁ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସେଥିପାଇଁ ଅନେକ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାରୋକ, ଖଣି ବନ୍ଦ ଆନ୍ଦୋଳନ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବ୍ୟାପକ ରାଜସ୍ୱ ହାନି ଘଟୁଛି । ତେଣୁ ଏହି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଆର୍ଥିକ ସହାୟତାରେ କୋଇଲାଖଣିଠାରୁ ଏକ ସ୍ୱତନ୍ତ୍ର ରାସ୍ତା ବାହାରି ତାଳବେଡା ରେଲୱେ କ୍ରସିଂ ଜାତୀୟ ରାଜପଥ ଦେଇ ପୁରୁଣା ଯୁବରାଜ ହାଇସ୍କୁଲ , ମାଙ୍କଡକେନ୍ଦା ପୋଲ ପର୍ଯ୍ୟନ୍ତ ରାସ୍ତାକୁ ଓସାରିଆ ଓ ସମ୍ପ୍ରସାରଣ କରି ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରାଯିବା ସହ ଏହି ପୋଲ ନଦୀ ଆରପାଖ ଖାଲପାଳ ଦେଇ ପିତିରି ଛକ ୧୪୯ ନଂ ଜାତୀୟ ରାଜପଥରେ ସଂଯୋଗ କରାଯାଇପାରିବ । ଏହା ହେଲେ ସମଗ୍ର ଅଞ୍ଚଳ ପାଇଁ ଦେଖା ଦେଇଥିବା ଟ୍ରାଫିକ୍ ସମସ୍ୟା ଓ କଳକାରଖାନା ପାଇଁ ଉପୁଜୁଥିବା ଅସୁବିଧା ଦୂର ହେବା ସହ ଗମନାଗମନ ଦୃଷ୍ଟିରୁ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ସାଂସଦ ଶ୍ରୀ ସାହୁ ଅବଗତ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଦାବିକୁ ଗ୍ରହଣ କରିବା ସହ ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି ।ଦେଖା ଯାଉ ସତରେ ବ୍ରାହ୍ମଣୀ ସେତୁ ଉପରେ ପୋଲ ମଞ୍ଜୁରୀ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ କେବେ ନେଉଛନ୍ତି ନିଷ୍ପତି।

Follow by Email
WhatsApp