ଲୋକସଭାରେ ନ୍ୟାସନାଲ୍‌ ମେଡିକାଲ କମିଶନ ବିଲ୍‌କୁ ସମର୍ଥନ ଓ ପରିବର୍ତ୍ତନ ପାଇଁ ସାଂସଦ ସାମନ୍ତଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ (ଏନଟିପି):

ଗତକାଲି ଗୃହରେ ନ୍ୟାସନାଲ୍‌ ମେଡିକାଲ କମିଶନ ବିଲ୍‌କୁ ବିଜେଡି ଦଳ ପକ୍ଷରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସମର୍ଥନ କରିଥିବା ବେଳେ ଏଥିରେ ପରିବର୍ତ୍ତନ ପାଇଁ ଡ. ସାମନ୍ତ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।  ନିଟ୍‌ ଆରମ୍ଭ ହେବା ପରେ ଡାକ୍ତରୀ ପଢିବା ପାଇଁ ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ୧୮ ଲକ୍ଷ ଛାତ୍ରଛତ୍ରୀ ନିଟ୍‌ ମାଧ୍ୟମରେ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୫ରୁ ୭ ପ୍ରତିଶତ ଛାତ୍ରଛାତ୍ରୀ ଡାକ୍ତରୀ ପଢିବାକୁ ସୁଯୋଗ ପାଇଛନ୍ତି । ୫ ବର୍ଷ ଡାକ୍ତର ପଢିବା ପରେ ପୁନର୍ବାର ନ୍ୟାସନାଲ୍‌ ଏକଜିଟ୍‌ ଟେଷ୍ଟ ପ୍ରଚଳନ କରାଯିବା ଦ୍ୱାରା ବହୁ ଛାତ୍ରଛାତ୍ରୀ ନିରାଶ ହେବା ସହ ଅଭିଭାବକଙ୍କ ଚିନ୍ତା ବଢିଯିବ ବୋଲି ଡ. ସାମନ୍ତ ଉଦବେଗ ପ୍ରକାଶ କରିଥିଲେ ।
ନିଟ୍‌ରେ ସଫଳ ନହୋଇ ବହୁ ଛାତ୍ରଛାତ୍ରୀ ନିରାଶ ହୋଇ ଆତ୍ମହତ୍ୟାକୁ ବାଛିନେଉଥିବା ବେଳେ ଅଭିଭାବକମାନେ ଦୁଶ୍ଚିନ୍ତାରେ ପଡୁଥିବା ଭଳି ଘଟୁଛି । ଏହା ଦ୍ୱାରା ଡାକ୍ତରୀ ପଢିବା ପାଇଁ ଆଗ୍ରହ କମିଯିବା ସହ ସେମାନଙ୍କ ସଂଖ୍ୟା ହ୍ରାସ ପାଇବା ସମ୍ଭାବନ ରହୁଥିବାରୁ ନେକ୍ସଟ୍‌ ପ୍ରଚଳନ କରିବା ପୂର୍ବରୁ ସରକାର ଆଉଥରେ ତର୍ଜମା କରିବା ଆବଶ୍ୟକ ବୋଲି ଡ. ସାମନ୍ତ ଦାବି କରିଛନ୍ତି । ଫି ଷ୍ଟକ୍‌ଚର ଉପରେ ଡ. ସାମନ୍ତ କହିଲେ ଗୋଟିଏ ଛାତ୍ରକୁ ଡାକ୍ତର କରିବା ପାଇଁ ରାଜ୍ୟ ସରକାର ବର୍ଷକୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେ କ୍ଷେତ୍ର୍ରରେ କେନ୍ଦ୍ର ସରକାର ଜାତୀୟ ସ୍ତରର ମେଡିକାଲ କଲେଜରେ ଜଣେ ଛାତ୍ର ପ୍ରତି ବର୍ଷକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି । ଏହାର ପ୍ରଭାବ ଘରୋଇ ମେଡିକାଲ ଉପରେ ଯଥେଷ୍ଟ ପଡ଼ିବାର ସମ୍ଭାବନା ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାରୀ ମେଡିକାଲ କଲେଜ ଓ ଘରୋଇ ମେଡିକାଲ କଲେଜର ଫି ଷ୍ଟକଚର୍‌ ସମାନ କରାଯିବା ଉଚିତ୍‌ ବୋଲି ଡ. ସାମନ୍ତ ଅନୁରୋଧ କରିଥିଲେ ।
ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ବିକାଶ ନେଇ ଡ. ସାମନ୍ତ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଆସୁଛି । ୧୫ ବର୍ଷ ତଳେ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ମଧ୍ୟରେ ବହୁ ବଡ଼ ବଡ଼ ରୋଗ ଚିକିତ୍ସା ହୋଇପାରୁଛି । ରାଜ୍ୟରେ ବର୍ତ୍ତମାନ ୭ଟି ମେଡିକାଲ କଲେଜ ରହିଥିବା ବେଳେ ଓ ୬ଟି ନୂଆ ମେଡିକାଲ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତାବ ରହିଛି । ଏବଂ ୩ଟି ଘରୋଇ ମେଡିକାଲ କଲେଜ ରହିଛି । ଦେଶରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୂଷ୍ମନ ଭାରତ ଯୋଜନ ଅତ୍ୟନ୍ତ ପ୍ରଂଶସନୀୟ ହୋଇଥିବା ବେଳେ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ବହୁ ଗରିବ ଲୋକ ଉପକୃତ ହୋଇପାରିଛନ୍ତି ବୋଲି ଡ. ସାମନ୍ତ କହିଛନ୍ତି ।
Follow by Email
WhatsApp