ଆଲୁମିନିୟମ୍ ପାର୍କ୍ କୁ ପୁଞ୍ଜିନିବେଶକ ଓ ଉଚ୍ଚମାନର ବୈଷୟିକ ଜ୍ଞାନକୌଶଳ ପ୍ରଦାନକାରୀଙ୍କୁ ନାଲକୋ ଅଧ୍ୟକ୍ଷଙ୍କ ଆମନ୍ତ୍ରଣ

ଭୁବନେଶ୍ୱର:

ବିଶ୍ୱର ବୃହତ୍ ଖଣିଜ, ଖଣି ଓ ଉତ୍ପାଦକଙ୍କ ସମ୍ମେଳନ ତଥା ପ୍ରଦର୍ଶନୀ – ପ୍ରସ୍ପେକ୍ଟର୍ସ୍ ଆଣ୍ଡ୍ ଡେଭେଲପର୍ସ୍ ଆସୋସିଏସନ୍ ଅଫ୍ କାନାଡା (ପିଡିଏସି ୨୦୧୯) ୩ ରୁ ୬ ମାର୍ଚ୍ଚ୍ ପର୍ଯ୍ୟନ୍ତ ଟରୋଂଟୋ, କାନାଡାରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ୧୩୫ଟି ଦେଶର ପ୍ରତିନିଧିବୃନ୍ଦ ଅଂଶଗ୍ରହଣ କରୁଛନ୍ତି । ଭାରତୀ ସରକାରଙ୍କ ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ଅନୀଲ ମୁକିମ, ଆଇଏଏସ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ କରୁଛନ୍ତି । ଏହି ଭାରତୀୟ ପ୍ରତନିଧି ଦଳରେ ଖଣି, ଇସ୍ପାତ, କୋଇଲା ମନ୍ତ୍ରାଳୟ ଏବଂ ବିଭିନ୍ନ ରାଜ୍ୟ ସରକାର ତଥା ନାଲ୍ କୋ, ସିଆଇଏଲ୍, ଏନ୍ଏମ୍ଡିସି, ସେଲ୍, ଏଚ୍ସିଏଲ୍ ଏବଂ ଏମ୍ଇସିଏଲ୍ ଭଳି କେନ୍ଦ୍ରୀୟ ଲୋକଉଦ୍ୟମ ଅଂଶଗ୍ରହଣ କରିଛନ୍ତି ।

ଏହି ସମ୍ମିଳନୀ ରେ ଆଜି ଭାରତ ଦିବସ ପାଳନ ଅବସରରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଭାରତୀୟ ଆଲୁମିନିୟମ୍ ଉଦ୍ୟୋଗ ସମ୍ପର୍କିତ ଏକ ଉଚ୍ଚମାନର ପ୍ରେଜେଂଟେସନ୍ ଆନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଆଲୁମିନିୟମ୍କୁ ଭବିଷ୍ୟର ଧାତୁ ଭାବେ ଅବତାରଣା କରି ଡଃ ଚାନ୍ଦ ଓଡ଼ିଶାର ଅନଗୁଳ ଆଲୁମିନିୟମ୍ ପାର୍କ ଠାରେ ଉପଲବ୍ଧ ବିଶ୍ୱସ୍ତରୀୟ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଆଲୁମିନିୟମ୍ ପାର୍କ ଟି ନାଲ୍ କୋ ଏବଂ ଇଡ୍କୋ ଦ୍ୱାରା ମିଳିତ ଭାବେ ଆଲୁମିନିୟମ୍ କ୍ଷେତ୍ରରେ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକ ପାଇଁ ପ୍ରତିଷ୍ଠା କରାଯାଉଛି ।

ଏତଦ୍ବ୍ୟତୀତ, ଡଃ ଚାନ୍ଦ ବିଦେଶରୁ ବିଶିଷ୍ଟ ଖଣିଜ ପଦାର୍ଥର ଅଧିଗ୍ରହଣ, ଖନନ ଏବଂ ପ୍ରକ୍ରିୟାକରଣ ପାଇଁ ନାଲ୍କୋ, ଏଚ୍ସିଏଲ୍ ଏବଂ ଏମ ଇ ସି ଏଲ ମଧ୍ୟରେ ଯୌଥ ଉଦ୍ୟମରେ ପ୍ରତିଷ୍ଠିତ କମ୍ପାନୀ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ) ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଲିଥିୟମ୍ ଆୟନ୍ ବ୍ୟାଟେରୀ ଉତ୍ପାଦନ ପାଇଁ ଏହି ଯୌଥ କମ୍ପାନୀ ନାଲ୍କୋ ସମେତ ଅନ୍ୟ କମ୍ପାନୀମାନଙ୍କ ପାଇଁ ଲିଥିୟମ୍ ଅଧିଗ୍ରହଣ ପାଇଁ ସହଭାଗିତାର ସମ୍ଭାବନା ଅନୁସନ୍ଧାନ କରୁଛି ।

ଓଡ଼ିଶାରେ ନାଲ୍ କୋ ର ଲିଥିୟମ୍ ଆୟନ୍ ବ୍ୟାଟେରୀ ପ୍ରକଳ୍ପ ପ୍ରତିଷ୍ଟା ହେବାର ସମ୍ଭାବନା ସମ୍ପର୍କରେ ସୂଚନା ଦେଇ ଡଃ ଚାନ୍ଦ କହିଲେ ଯେ ଭବିଷ୍ୟତରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢିବାକୁ ଯାଉଥିବେ ବେଳେ ଲିଥିୟମ୍ ବ୍ୟାଟେରୀର ବ୍ୟବସାୟିକ ଅଭିବୃଦ୍ଧି ସମ୍ଭାବନା ବ୍ୟାପକ ଅଛି ଏବଂ ଲିଥିୟମ୍ ବ୍ୟାଟେରୀ ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଓଡ଼ିଶା ବହୁଳ ଭାବେ ଲାଭାନ୍ୱିତ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଖଣି ଉଦ୍ୟୋଗ ଭାରତୀୟ ପ୍ୟାଭିଲିଅନ୍ ଅଧିନରେ ଏହି ସମ୍ମେଳନରେ ଅଂଶଗ୍ରହଣ କରୁଛି । ଖଣି ସଚିବ ଶ୍ରୀ ମୁକିମ୍ଙ୍କ ଦ୍ୱାରା ଏହି ପ୍ୟାଭିଲିଅନ୍ଟି ଉଦ୍ଘାଟିତ ହୋଇଥିଲା । ଏହି ସମ୍ମେଳନରେ ନାଲ୍କୋ ଭାରତ ସରକାର ତଥା କେନ୍ଦ୍ରୀୟ ଲୋକଉଦ୍ୟମଗୁଡ଼ିକର ନୋଡାଲ୍ ଏଜେନ୍ସୀ ଭାବେ ଭାରତୀୟ ଖଣିଜ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରୁଛି ।

Follow by Email
WhatsApp