କାଳିଆ ଯୋଜନାକୁ ଟକ୍କର ଦେବ କିଷାନ ସମ୍ମାନ ନିଧି ଯୋଜନା!

ଭୁବନେଶ୍ୱର (ଏନଟିପି)

ଭୁବନେଶ୍ୱର ୧|୨: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବଂ ତେଲେଙ୍ଗାନା ସରକାରଙ୍କ ରୟତବନ୍ଧୁ ଯୋଜନାକୁ ବଡ ଝଟକା ଲାଗିଛି। ଆଗରୁ ଯେମିତି ଆକଲନ କରାଯାଉଥିଲା ୨୦୧୯ ଅନ୍ତରୀଣ ବଜେଟ୍‌ରେ ମୋଦି ସରକାର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି। ବର୍ଷକୁ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ଦେବା ପାଇଁ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଛି। ତିନିଟି କିସ୍ତିରେ ଏହି ରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ଦୁଇ ହେକ୍ଟର ଜମି ଥିବା ଚାଷୀଙ୍କୁ ଏହି ସୁବିଧା ମିଳିବ। ଦେଶର ୧୨କୋଟି ଚାଷୀ ଏହା ଦ୍ୱାରା ଉପକୃତ ହେବେ। ଏହା ଫଳରେ କେନ୍ଦ୍ର ସରକାରଙ୍କ ଉପରେ ୭୫ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ବୋଲି ଆକଳନ କରାଯାଇଛି।  ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ସରକାର ରୟତବନ୍ଧୁ ଯୋଜନା କରି ଭୋଟରଙ୍କର ଆସ୍ଥାଭାଜନ ହୋଇପାରିଥିଲେ। ସେହିଭଳି ଓଡିଶା ସରକାର ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କରିଛନ୍ତି। କେବଳ ସେତିକି ନୁହେଁ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କୃଷିଋଣ ଛାଡ ନାରା ଦେଇ କଂଗ୍ରେସ କ୍ଷମତାକୁ ଆସିବାରେ ସକ୍ଷମ ହୋଇଛି। ତେଣୁ ଆଗାମି ନିର୍ବାଚନରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହାକୁ ଆଖି ଆଗରେ ରଖି ବଜେଟ୍‌ରେ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ଏନ୍‌ଡିଏ ସରକାର।    ଏହି ଯୋଜନା ସିଧାସଳଖ ଓଡିଶାର କାଳିଆ ଯୋଜନା ସହିତ ଟକ୍କର ଦେବ। ଉଭୟ ଯୋଜନାକୁ ତୁଳନା କରିଲେ କାଳିଆ ଯୋଜନାରେ ଚାଷୀ ଅଧିକ ଅର୍ଥ ନିଶ୍ଚୟ ପାଇବେ। ତେବେ କୃଷକମାନଙ୍କ ପାଇଁ ୬ହଜାର ଟଙ୍କାର ସହାୟତା ବ୍ୟତୀତ ବଜେଟ୍‌ରେ ଆହୁରି ଅନେକ ସୁବିଧା ପ୍ରଦାନ କରାଯାଇଛି। ଯେମିତିକି ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖିନ ହେଉଥିବା ଚାଷୀଙ୍କୁ ୫ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିଭଳି ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଥିବା ଚାଷୀଙ୍କୁ ୨ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସର୍ବୋପରି ସମସ୍ତ ୨୨ଟି ଯାକ ଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ ଗୁଣ ବୃଦ୍ଧି ପାଇଁ ଯୋଜନାର ଅର୍ନ୍ତଭୁକ୍ତ ହୋଇଛି।    

Follow by Email
WhatsApp