ଜୟପୁର ୧୭|୧:( ଏନ୍ ଟି ପି)
ଗ୍ଲାମର ଦୁନିଆ ଛାଡି ସେ ଏବେ ପାଲଟି ଯାଇଛନ୍ତି ଆତ୍ମଘୋଷିତ ମାତା । ଦିନେ ସେ ତାଙ୍କ ନାଚ, ଅଭିନୟରେ ସେ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲେ । ଓଲିଉଡ ଇଣ୍ଡଷ୍ଟ୍ରିରେ ଛାଇ ରହିଥିଲା ତାଙ୍କର ଯାଦୁ । ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଶ୍ବେତା ମଲ୍ଲିକ । ଗ୍ଲାମର ଦୁନିଆର ମୋହ ମାୟା ତାଙ୍କୁ ବହୁ ଦିନ ଇଣ୍ଡଷ୍ଟ୍ରିରେ ବାନ୍ଧି ରଖିପାରିନଥିଲା । ସେ ଗ୍ଲାମର ଦୁନିଆର ମୋହ ମାୟା ଛାଡି ଏବେ ପାଲଟି ଯାଇଛନ୍ତି ମାତା ମାହେଶ୍ବରୀ । ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆରେ ସେ ପାଦ ଦେଇଛନ୍ତି । ଲୋକଙ୍କୁ ମୋକ୍ଷ ପ୍ରାପ୍ତିର ମାର୍ଗ ଦେଖାଉଛନ୍ତି । କିଛି ଅଲୌକିକ ଶକ୍ତି ତାଙ୍କୁ ଆଧ୍ୟାତ୍ମିତ ଜଗତକୁ ଟାଣିଆଣିଛି । ଜୟପୁରରେ ଆୟୋଜିତ କଳ୍କୀ ମହାଯଜ୍ଞରେ ସେ ଲୋକଙ୍କୁ ଦେଉଛନ୍ତି ମୋକ୍ଷ ପ୍ରାପ୍ତିର ମନ୍ତ୍ର ।ଗ୍ଲାମର ଦୁନିଆ ଛାଡିବା ଏତେ ସହଜ କଥା ନୁହେଁ । ଯଦି ଜଣେ ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଉଛି ତେବେ ସମସ୍ତେ ଖୁସି ହେବା କଥା ବୋଲି କହିଛନ୍ତି ଶ୍ବେତା ଓରଫ ମାତା ମାହେଶ୍ବରୀ । କିଛି ଦୈବୀ ଶକ୍ତି ଯୋଗୁଁ ସେ ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇଛନ୍ତି । ଏମିତି କେହି ଖାଲି ଖାଲିରେ ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆକୁ ଚାଲି ଆସିବ ନାହିଁ ବୋଲି ସେ କହିଛନ୍ତି ।ଗତ ୧୦ତାରିଖରୁ ଜୟପୁର ସ୍ଥିତ ସୌରାଗୁଡାରେ ଆୟୋଜିତ କଳକୀ ମହାଯଜ୍ଞରେ ମାତା ମାହେଶ୍ବରୀଙ୍କୁ ପଦ୍ମ ଫୁଲ ଆସନରେ ବସିଥିବା ଦେଖିବାକୁ ମିଳିଛି । ମହାଯଜ୍ଞରେ ବାବା ସପ୍ତଫେଣୀ ନାଗର ଆସନରେ ବସିଥିବା ବେଳେ ମାତା ମାହେଶ୍ବରୀ ବସୁଛନ୍ତି ପଦ୍ମଫୁଲର ଆସନରେ । ଭକ୍ତମାନେ ତାଙ୍କୁ ପୂଜା କରୁଛନ୍ତି, ଆଳତୀ କରୁଛନ୍ତି ତାଙ୍କ ପାଦ ତଳେ ପୂଜା ମଧ୍ୟ କରୁଛନ୍ତି ।ଗତ ୧୮ବର୍ଷ ଧରି ସେ ବାବା ଅନନ୍ତ କେଶରୀଙ୍କ ସହ ମିଶି ବିଶ୍ବଶାନ୍ତି ପାଇଁ ଏଭଳି ମହାଯଜ୍ଞର ଆୟୋଜନ କରୁଛନ୍ତି । ଜୟପୁରରେ ୨୬ନମ୍ବର ମହାଯଜ୍ଞର ଆୟୋଜନ କରାଯାଇଛି । ୨୭ ନମ୍ବର ମହାଯଜ୍ଞ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସୂଚନା ରହିଛି । ଏହିଭଳି ବିଭିନ୍ନ ସ୍ଥାନରେ ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜନ କରି ଟଙ୍କା ଆଦାୟ କରୁଛନ୍ତି । ତାଙ୍କର ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଆତ୍ମଘୋଷିତ ବାବା-ମାତାଙ୍କୁ ନେଇ ବିବାଦ ମଧ୍ୟ ଦେଖାଦେଇଛି ।