ବୈଜୟନ୍ତ ବିଜୟଙ୍କ ଗତି କୁଆଡେ

ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ):

ରାଜ୍ୟ ରାଜନୀତି ର ଦୁଇ ଜଣ ବଳିଷ୍ଠ ବ୍ୟକ୍ତିତ୍ୱ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର।କେନ୍ଦ୍ରାପଡା ମାଟିର ଦୁଇ ଲଢୁଆ ବୀରଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ? ଚର୍ଚ୍ଚା ହେଉଥିଲା ବୈଜୟନ୍ତ ବିଜେଡି ଛାଡିବା ପରେ ବିଜେପି ରେ ଯୋଗଦେବେ।କିନ୍ତୁ ସେମିତି କିଛି ଘଟିଲା ନାହିଁ।ସେପଟେ ବିଜୟ ମହାପାତ୍ର ବିଜେପି ଛାଡିବା ପରେ ପୁରୁଣା ଦଳ ବିଜେଡି କୁ ଫେରିବେ ବୋଲି କିନ୍ତୁ ତାହା ସ୍ପଷ୍ଟ କଲେ ନାହିଁ।ଦାମ ଗଢିଥିବା ନୂଆ ଦଳ ସମତା କ୍ରାନ୍ତି ଦଳ କୁ ବି ଦୁହେଁ ଗଲେ ନାହିଁ।କଣ ହେବ ଉଭୟଙ୍କ ରାଜନୈତିକ ଭବିଷ୍ୟତ ।ବୋଧହୁଏ ଅନୁମାନ କରାଯାଉଛି ବୈଜୟନ୍ତଙ୍କ ଟିଭି ଚେନାଲ ଯେମିତି ବିଜେପି ର ଗୁଣଗାନ କରୁଛି ହୁଏତ ବୈଜୟନ୍ତ ବିଜେପି ଆଡ଼କୁ ଢାଳିପାରନ୍ତି।

ଜାନୁଆରୀରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବାକୁ ଯାଉଛି । ବିଜେପି ଓ ବିଜେଡ଼ି ଛାଡ଼ିଥିବା ନେତାମାନେ ଏକାଠି ହୋଇ ନୂଆ ସମୀକରଣ ପାଇଁ ଅଙ୍କ କଷା ଆରମ୍ଭ କରିଛନ୍ତି । ବିଜେଡ଼ିର ବିକଳ୍ପ ଭାବେ ଆଉ ଏକ ଆଚଂଳିକ ଦଳ ଗଠନ ପାଇଁ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଯାଇଛି । ବିଶେଷକରି ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି ।ଦୁଇ ବର୍ଷ ଧରି ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିବା ବିଜୟ ମହାପାତ୍ର ଏଯାବତ ନିଜର ରାଜନୀତିକ ଦିଗ ନିର୍ଦ୍ଧାରଣ କରିନାହାନ୍ତି । ଅପରପକ୍ଷରେ ବିଜେଡ଼ି ସହ ତୁତୁମେଁମେଁର ଚାରି ବର୍ଷ ଓ ଦଳରୁ ନିଲମ୍ବିତ ହେବାର ପ୍ରାୟ ବର୍ଷକ ପରେ ମଧ୍ୟ ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିପାରିନାହାନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ବିଜୟ ବିଜେଡ଼ିକୁ ଓ ବୈଜୟନ୍ତ ବିଜେପିକୁ ଯିବେ ବୋଲି ବେଶ ଜୋରଦାର ଚର୍ଚ୍ଚା ହୋଇଆସିଥିଲା । କିନ୍ତୁ ଧିରେଧିରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଛି । ଖୋଦ ବିଜୟ ଓ ବୈଜୟନ୍ତ ଏଭଳି ଚର୍ଚ୍ଚାକୁ ସିଧାସଳଖ ଭାବେ ଖଣ୍ଡନ କରିଛନ୍ତି । ଅପରପକ୍ଷରେ ଦୁଇ ନେତା ଏକ ନୂତନ ବିକଳ୍ପ ନେଇ ସୁରାକ ଦେବା ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଯାଇଛି ।ବିଜେପି ଛାଡ଼ିବା ପରେ ବିଜୟ ମହାପାତ୍ରଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ତେବେ ଫେସବୁକ ଲାଇଭ ଜରିଆରେ ସେ ପରୋକ୍ଷରେ ନୂତନ ବିକଳ୍ପ ନେଇ ସଂକେତ ଦେଇଥିଲେ । ୧୯ ବର୍ଷ ଶାସନର କଥା ଉଠାଇଥିଲେ । ପରିବର୍ତନର ଆଭାସ ବି ଦେଇଥିଲେ । ସେହିପରି ପୁସ୍ତକ ଉନ୍ମୋଚନ ପରେ ପରେ ବୈଜୟନ୍ତ ଅନେକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ସାକ୍ଷାତକାର ବେଳେ ସେ ବିଜେପିକୁ ଆଉ ବିଜେଡ଼ିର ବିକଳ୍ପ ବୋଲି ଭାବୁନଥିବା ସ୍ପଷ୍ଟ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ପରବର୍ତୀ ପଦକ୍ଷେପ ନେବେବୋଲି ଇଙ୍ଗିତ କରିଛନ୍ତି । ବିଜୟ ଓ ବୈଜୟନ୍ତଙ୍କ ନୀରବତା ଅନେକ ସଂଶୟ ସୃଷ୍ଟି କରୁଥିବାବେଳେ ନିକଟରେ ଦୁଇ ନେତା ପ୍ରାରମ୍ଭିକ ଆଲୋଚନା କରିଥିବା ଜାଣିବାକୁ ମିଳିଛି । ଅପରପକ୍ଷରେ ଦିଲୀପ ରାୟ ମଧ୍ୟ ରାଉରକେଲା ଯାଇ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବାବେଳେ ରାଉରକେଲାରେ ଆଲୋଚନା କରିବା ପରେ ଆଗ ମାଟି, ପଛ ପାର୍ଟି ବୋଲି କହିଥିଲେ । ଖାଲି ସେତିକିନୁହେଁ ବହୁ ଦଳ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଛି ଓ ସେ ମଧ୍ୟ ଖୁବଶୀଘ୍ର ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।ମିଳିଥିବା ସୂଚନାନୁଯାୟୀ ବିଜୟ ବିଜେଡ଼ିକୁ ଫେରିବା ପାଇଁ କେତେ ଉତ୍ସୁକ ତାହାତ ଭିନ୍ନ କଥା, ହେଲେ ବିଜୟଙ୍କୁ ନେବା ପାଇଁ ବିଜେଡ଼ି ମଧ୍ୟ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି । ଦିଲୀପ ରାୟଙ୍କୁ ସବୁଜ ସଂକେତ ମିଳୁଥିଲେ ମଧ୍ୟ ତାଙ୍କୁ ମିଳୁନଥିବା ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି । ଯଦି ବା ବିଜେଡ଼ି ବିଜୟଙ୍କୁ ନିଏ ତେବେ ତାଙ୍କୁ କେବଳ କେନ୍ଦ୍ରାପଡ଼ାରେ ସୀମାବଦ୍ଧ ରଖିବାକୁ ଚାହୁଁଛି ବୋଲି କୁହାଯାଉଛି । ଅପରପକ୍ଷରେ ବୈଜୟନ୍ତଙ୍କୁ ଏବେ ବିଜେପି ପକ୍ଷରୁ ଘନଘନ ଡାକରା ଆସୁଛି । ଦଳରେ ସାମିଲ ହେବା ପାଇଁ କେତେକ ବରିଷ୍ଠ ବିଜେପି ନେତା ବୈଜୟନ୍ତଙ୍କୁ ଅନୁରୋଧ କରୁଛନ୍ତି । ତେବେ ସେଥିରେ କେଁ ରହିଛି । ବୈଜୟନ୍ତଙ୍କୁ ସେଇ କେନ୍ଦ୍ରାପଡ଼ା ମଧ୍ୟରେ ହିଁ ସୀମିତ ରହିବାକୁ କୁହାଯାଉଛି । ଫଳରେ ବିଜୟ କିମ୍ବା ବୈଜୟନ୍ତ କେନ୍ଦ୍ରାପଡ଼ା ମଧ୍ୟରେ ସୀମିତ ନରହି ରାଜନୀତିକ ଚକମା ଦେଖାଇବାକୁ ଯୋଜନା କରିଛନ୍ତି । ଆସନ୍ତା ଜାନୁଆରୀ ୧୨ରେ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ବନ୍ଧୁମିଳନର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରୁ ଫେରିବା ପରେ ବୈଜୟନ୍ତ ପୁଣି ଥରେ ବିଜୟଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି କୁହାଯାଉଛି । ସମ୍ଭବତଃ ଜାନୁଆରୀ ୧୨ରେ ଏନେଇ ବୈଜୟନ୍ତ ସୁରାକ ଦେବେବୋଲି ବୈଜୟନ୍ତଙ୍କ ସମର୍ଥକମାନେ ମତପ୍ରକାଶ କରୁଛନ୍ତି ।ଅପରପକ୍ଷରେ ବ୍ରଜ ତ୍ରିପାଠୀଙ୍କ ସହ ମିଶି ଦାମ ବିଜୁ ସମତା କ୍ରାନ୍ତି ଦଳ ସଂକ୍ରାନ୍ତରେ ଘୋଷଣା କରିଥିଲେ । କିନ୍ତୁ ଦାମ ଏଥିରେ ସଫଳ ହୋଇପାରିନାହାନ୍ତି । ଦାମ ଭାବିଥିଲେ ବିଳମ୍ବ ନକରି ଆଗ ଦଳ ଘୋଷଣା କରିଦେଲେ ନବୀନ ବିରୋଧୀ ନେତାମାନେ ତାଙ୍କ ସହ ସାମିଲ ହେବେ । କିନ୍ତୁ ସେଭଳି କିଛି ନହେବାରୁ ଏବେ ଦାମ ମଧ୍ୟ ତୁନି ହୋଇ ବସିବାକୁ ବାଧ୍ୟ ହୋଇଛନ୍ତି । ଯଦି ବିଜୟ ଓ ବୈଜୟନ୍ତ ନୂତନ ଦଳ ଗଢ଼ନ୍ତି ତେବେ ରାଜନୀତିକ ସମୀକରଣ ବଦଳିଯିବ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି ।

Follow by Email
WhatsApp