ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ସହରାଂଚଳ ବନ୍ୟାର କାରଣ ଓ ନିରାକରଣ ଶୀର୍ଷକ ଆଲୋଚନା ଚକ୍ର

‘ ପ୍ରଶାସନର ଅବହେଳା ଓ ଯୋଜନାବିହୀନ ବିକାଶ ‘ ସହରାଂଚଳ ବନ୍ୟାର ମୁଖ୍ୟ କାରଣ : ବୁଦ୍ଧିଜୀବୀ ମହଲ

ଭୁବନେଶ୍ୱର , ତା.୨୭ / ୦୮ :

ପ୍ରଶାସନର ଅବହେଳା ଓ ଅନିୟନ୍ତ୍ରିତ ବିକାଶ ହିଁ ସହରାଂଚଳ ବନ୍ୟାର ଅସଲ କାରଣ ବୋଲି ଆଜି ଏକ ଆଲୋଚନା ଚକ୍ରରେ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ରାଜ୍ୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ‘ ସହରାଂଚଳ ବନ୍ୟାର କାରଣ ଓ ନିରାକରଣ ’ ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଛି ଏବଂ ଏହାର ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତପୋଷଣ କରିଛନ୍ତି । ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମାଙ୍କ ଆବାହକତ୍ବରେ ଓ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଆଇଆଇଟି ଭୁବନେଶ୍ଵରର ପ୍ରଫେସର ଉମାଚରଣ ମହାନ୍ତି , ପୂର୍ବତନ ପୂର୍ତବିଭାଗ ସଚିବ ଇଞ୍ଜିନିୟର ଡଃ ନନ୍ଦନନ୍ଦନ ଦାଶ , ସ୍ଥପତି ଶ୍ରୀଯୁକ୍ତ ତାରା ପ୍ରସାଦ ଧଳ , ଶ୍ରୀଯୁକ୍ତ ଚିରଞ୍ଜୀବୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ସହରାଂଚଳ ବନ୍ୟାର ବିଭିନ୍ନ କାରଣ ଓ ତାର ନିରାକରଣ ଉପରେ ଆଲୋଚନା କରିଥିଲେ । ସହର ଗୁଡ଼ିକ ଦେଇ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକର ଜଳ ସହର ଭିତରକୁ ପଶିବା ପରେ ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସହର ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ସାମାନ୍ୟ ବର୍ଷା ହେଲେ ସହରର ବିଭିନ୍ନ ସ୍ଥାନରେ ବି ବହୁମାତ୍ରାରେ ପାଣି ଜମି ରହୁଛି । ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବା ଏବଂ ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ପ୍ରଶାସନ ଠିକଣା ସମୟରେ ତାର ନିରାକରଣ ପାଇଁ ବ୍ୟବସ୍ଥା ବା ପୂର୍ବ ପ୍ରସ୍ତୁତି କରି ପାରୁନି । ଯଦ୍ଵାରା ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ବର୍ଷା ଦିନର ଠିକ୍ ଆଗରୁ ଏହି ପ୍ରସ୍ତୁତି କରାଯିବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି । ଭୂବନେଶ୍ବର ଉପକଂଠ ଗଙ୍ଗୁଆ ନାଳ ସମେତ ୧୩ଟି ପ୍ରାକୃତିକ ନାଳକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଉଥିବାରୁ ଜଳ ନିଷ୍କାସନ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ଯଦ୍ଵାରା ସେଠାରେ ଅଳିଆ ଆବର୍ଜନା ଜମି ରହି ସ୍ଵଚ୍ଛ ଜଳ ବି ଦୂଷିତ ହେଉଛି । ଯାହା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଆନ୍ତରିକତାର ସହ କାମ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ।

Follow by Email
WhatsApp