ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ,ଢେ଼ଙ୍କାନାଳ ଶାଖା ପକ୍ଷରୁ ଏକ ଶୈକ୍ଷିକ ଆଲୋଚନା ଚକ୍ର -୨୦୨୨ ଅନୁଷ୍ଠିତ

ଢେଙ୍କାନାଳ: ତା.୦୭.୦୮.୨୦୨୨ରିଖ:( ଏନଟିପି):

ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏକ ଶୈକ୍ଷିକ ଆଲୋଚନା ଚକ୍ର -୨୦୨୨ର ପ୍ରଥମ ଅଧିବେଶନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ସଭା ଗୃହରେ ପ୍ରାତଃ ୧୧ ଘଟିକା ସମୟରେ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।


ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ଡ଼ଃ ନିରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସ୍ଥାୟୀ ସଦସ୍ୟ ତଥା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଡ଼ଃ ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଭାରତର ସ୍ଵାଧୀନତା ଆନ୍ଦୋଳନର କିଛି ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ସମ୍ୟକ୍ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ଜିଲ୍ଲାର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବଜିରାଉତ୍, ସାରଙ୍ଗ ଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ, ମୂଷା ମଲ୍ଲିକ ଓ ଧନୀ ବାରିକଙ୍କ ପରି ଅନେକ ସ୍ଵାଧୀନତା ସଂଗ୍ରାମୀ ବୀରଙ୍କ ଦେଶପ୍ରେମ ଓ ଅବିରତ ସଂଗ୍ରାମର ସ୍ମୃତି ଚାରଣ କରି ସେମାନେ ଆମର ଚିର ନମସ୍ୟ ବୋଲି ଦୃଢ଼ ମତ ଉପସ୍ଥାପନ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ଡ଼ଃ ନିରଞ୍ଜନ ଦାଶ ତାଙ୍କର ସଭାପତିଙ୍କ ଅଭିଭାଷଣରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ପ୍ରାଣବଳି ଦେଇଥିବା ଅମର ଶହୀଦ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଦୃଢ଼ ଆହ୍ବାନ ଜଣାଇଥିଲେ। ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଲୋକନାଥ ଷଡ଼ଙ୍ଗୀ ସରସ୍ୱତୀ ବନ୍ଦନା ଗାନ କରିଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗେଙ୍ଗୁଟିଆର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ରାଜ୍ୟ ଉପସଭାପତି ଶିକ୍ଷାବିତ୍ ଦେବରାଜ ସାହୁ ସ୍ବାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଲକ୍ଷ୍ୟ, ଆଦର୍ଶ ଓ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ମାର୍ଗଦର୍ଶିକା ସଂମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ସମୀର କୁମାର ସାହୁ,ପ୍ରାକ୍ତନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଓ ସରସ୍ୱତୀ ଶିଶୁମନ୍ଦିର ଓଡ଼ାପଡ଼ାର ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ସ୍ଵାଧୀନତା ସମ୍ପର୍କରେ ସ୍ବରଚିତ କବିତା ଆବୃତ୍ତି କରିବା ସହିତ ସମସ୍ତେ ସ୍ଵୀୟ ବକ୍ତବ୍ୟରେ ଶିକ୍ଷା,ଶିକ୍ଷକ, ଶିକ୍ଷାୟତନରୁ ହିଁ ସମସ୍ତଙ୍କ ମନରେ ଦେଶପ୍ରେମଭାବର ସୃଷ୍ଟି ସମ୍ଭବ ଓ ଏହିଭଳି ଆଲୋଚନା ଚକ୍ର ମଝିରେ ମଝିରେ ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି ଦୃଢ଼ ମତପୋଷଣ କରିଥିଲେ । ପରିଶେଷରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖାର ନବ ନିଯୁକ୍ତ ମେଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଦୁଇଟି ସ୍ବରଚିତ କବିତା,ଦେଶପ୍ରେମ ମୂଳକ ସନେଟ୍ ଆବୃତ୍ତି କରିବା ସଙ୍ଗେ ସଙ୍ଗେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରି ଆଜିର ଆଲୋଚନା ଚକ୍ରର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଢେ଼ଙ୍କାନାଳ ଜିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ଶିକ୍ଷାବିତ୍ ଅନେକ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ଭବାନୀ ଶଙ୍କର ମିଶ୍ର, ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଗୋଲକ ବିହାରୀ ସାହୁ, କୃଷ୍ଣ କୁମାର ମହାନ୍ତି, ଦିଲ୍ଲୀପ କୁମାର ସାହୁ,ବିରଞ୍ଚି ନାରାୟଣ ଷଡ଼ଙ୍ଗୀ,ଶଶିକାନ୍ତ ଦାସ ପ୍ରମୁଖ ଆଲୋଚନାଚକ୍ରରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଏହାର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Follow by Email
WhatsApp