ନବରାତ୍ରୀର ସପ୍ତମୀ ପୂଜାର ରହସ୍ୟ…ପଢନ୍ତୁ ପୂରା ରିପୋର୍ଟ…

ଭୁବନେଶ୍ଵର, (ଏନଟିପି ବ୍ୟୁରୋ) :

ଜଗତଜନନୀ ମା ଦଶଭୁଜାଙ୍କର ଅଗମଙ୍କୁ ନେଇ ଗାଁ ଠାରୁ ସହର ସବୁଠାରେ ଉତ୍ସବମୁଖର । ଦୁର୍ଗାପୂଜାକୁ ନେଇ ପ୍ରକମ୍ପିତ ଚତୁର୍ଦ୍ଦିଗ। ମନ୍ଦିର ଠାରୁ ମଣ୍ଡପ ଯାଏଁ ପୁଲକିତ ହୋଇ ଉଠିଛି। କାହିଁକି ନା ମା’ ଆସିଛି। ନଅ ଦିନ ବ୍ୟାପୀ ହେଉଥିବା ଶାରଦୀୟ ଦୁର୍ଗାପୂଜାର ଆଜି ସପ୍ତମ ଦିନ। ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ ଓ ଆଜି ସପ୍ତମ ଦିନରେ କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ବିଶ୍ୱାସ ରହିଛି, ଏହି ତିଥିରେ ବିଶ୍ୱର ସମସ୍ତ ଶକ୍ତି ମା’ଙ୍କ ପାଖରେ ଠୁଳ ହୋଇଥାଏ।
ବିଧି ଅନୁସାରେ ମା’ଙ୍କୁ ଏହି ‘କାଳରାତ୍ରୀ’ ବେଶରେ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ। ମା’ ‘କାଳରାତ୍ରୀ’ଙ୍କ ତିନୋଟି ଆଖି ରହିଥାଏ ଓ ଏହି ବେଶରେ ମା’ଙ୍କ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ପୌରାଣିକ ତଥ୍ୟ ଅନୁସାରେ, ଚଣ୍ଡ, ମୁଣ୍ଡ ଏବଂ ରକ୍ତବୀର୍ଯ୍ୟ ନାମଧାରୀ ତିନି ରାକ୍ଷସ ମର୍ତ୍ତ୍ୟରେ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ। ମର୍ତ୍ତ୍ୟବାସୀଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ମା’ ଦୁର୍ଗା ଚଣ୍ଡ ଓ ମୁଣ୍ଡଙ୍କୁ ସଂହାର କରିଥିଲେ । ତେବେ ରକ୍ତବୀର୍ଯ୍ୟକୁ ମା’ ସଂହାର କରିବା ମାତ୍ରେ ଏହାର ରକ୍ତ ଭୂମିରେ ପଡ଼ି ସେଥିରୁ ସହସ୍ର ରକ୍ତବୀର୍ଯ୍ୟ ରାକ୍ଷସ ଉତ୍ପନ୍ନ ହୋଇଥିଲେ।
ଏଣୁ ରକ୍ତବୀର୍ଯ୍ୟର ଏହି ଅଲୌକିକ ଶକ୍ତିକୁ ନିପାତ କରିବା ପାଇଁ ମା’ ଦୁର୍ଗା ‘କାଳରାତ୍ରୀ’ ରୂପ ଧାରଣ କରିଥିଲେ। ‘କାଳରାତ୍ରୀ’ ହେଉଛନ୍ତି କାଳର ଦେବୀ, ଯିଏ ଭୂମିରେ ପଡ଼ୁଥିବା ରକ୍ତବୀର୍ଯ୍ୟର ରକ୍ତକୁ ପାନ କରି ସେଥିରୁ ସୃଷ୍ଟି ହେଉଥିବା ସହସ୍ର ରକ୍ତବୀର୍ଯ୍ୟଙ୍କୁ ସମୂହ ସଂହାର କରିବାରେ ସଫଳ ହୋଇଥିଲେ।
ମା’ କାଳୀ କାଳର ଦେବୀ ଥିଲେ ଏବଂ ଶନି ଦେବଙ୍କୁ ମଧ୍ୟ କାଳ ପୁରୁଷ ବୋଲି କୁହାଯାଏ। ଯଦି କୁଣ୍ଡଳୀରେ ଶନି ଗ୍ରହଙ୍କ ଦଶା ଜନିତ କୌଣସି ଦୋଷ ଥାଏ, ତେବେ ‘କାଳରାତ୍ରୀ’ଙ୍କୁ ବିଧିବଦ୍ଧ ପୂଜା କଲେ, ଏହା ଦୂର ହୋଇଥାଏ।
ଯେଉଁ ଲୋକଙ୍କ କୁଣ୍ଡଳୀରେ ମୃତ୍ୟୁର ଭୟ ରହିଥାଏ, ସେ ନିଜର କିମ୍ୱା ନିଜ ସମ୍ପର୍କୀୟଙ୍କ ଲମ୍ୱା ଜୀବନ କାମନା କରି ମା’ଙ୍କର ପୂଜା କଲେ ସର୍ବ ସିଦ୍ଧି ଲାଭ ହୁଏ। ମା’ ‘କାଳରାତ୍ରୀ’ଙ୍କ ପୂଜା ପାଇଁ ଲାଲ୍ ସିନ୍ଦୂର ଏବଂ ୧୧ଟି କଉଡ଼ି ନେଇ ପ୍ରଥମ ପ୍ରହରରେ ପୂଜା କରନ୍ତୁ। ମା’ଙ୍କୁ ଧୂପ, ଦୀପ ଓ ପୁଷ୍ପ ଅର୍ପଣ କରି ଗୁଡ଼ ଭୋଗ କରନ୍ତୁ। ଏପରି କରିବା ଦ୍ୱାରା ମୃତ୍ୟୁର ଭୟ ଦୂର ହୋଇଥାଏ ବୋଲି ବିଶ୍ଵାସ ରହିଛି ।
Follow by Email
WhatsApp