ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଗୁଣ୍ଡିଚା ଅଭିମୁଖେ ତିନିରଥ

ପୁରୀ (ଏନ ଟି ପି):

ଆଜି କାଳିଆ ସାଆନ୍ତଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ଚାଲିଆସିଛନ୍ତି ବଡ ଦାଣ୍ଡକୁ । ତିନି ଠାକୁର ରଥାରୂଢ଼ ହୋଇ ମାଉସୀ ମା ଅଭିମୁଖେ । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ପବିତ୍ର ରଥଯାତ୍ରା ଅବସରରେ ରଥାରୂଢ଼ ତିନି ଠାକୁର ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଯାତ୍ରା କରିବେ । ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଛି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ନନ୍ଦୀଘୋଷ ରଥରେ ଜଗତର ନାଥ ଜଗନ୍ନାଥ ରଥାରୂଢ ହୋଇ
ତିନିରଥରେ ରଥାରୂଢ ହୋଇଛନ୍ତି ତିନିଠାକୁର । ପହଣ୍ଡି ସରିବା ପରେ ନୀତିକାନ୍ତି ହୋଇଥିଲା । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରଥାରୂଢ ହେବାପରେ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥିଲା । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥିଲେ । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥିଲେ । ଗଜପତି ମହାରାଜଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

Follow by Email
WhatsApp